ଇ-କମର୍ସ ୱେବସାଇଟରୁ ହଟିଲା ଡଙ୍ଗରିଆଙ୍କ ଡିଜାଇନ୍ ସାମଗ୍ରୀ, ବିଷମକଟକ ଥାନାରେ ମାମଲା ରୁଜୁ

ଇ-କମର୍ସ ୱେବସାଇଟରୁ ହଟିଲା ଡଙ୍ଗରିଆଙ୍କ ଡିଜାଇନ୍ ସାମଗ୍ରୀ, ବିଷମକଟକ ଥାନାରେ ମାମଲା ରୁଜୁ

ରାୟଗଡ଼ା : ଇ-କମର୍ସ ୱେବସାଇଟରୁ ହଟିଲା ଡଙ୍ଗରିଆଙ୍କ ଡିଜାଇନ୍ ସାମଗ୍ରୀ। ବେଆଇନ ଭାବେ ଡଙ୍ଗରିଆଙ୍କ ନାଁରେ ବେପାର ଚଲାଇଥିବା ସଂସ୍ଥା କାର୍ଯ୍ୟାନୁଷ୍ଠାନ ଭୟରେ ରାତାରାତି ସାଇଟକୁ ବନ୍ଦ କରି ଦେଇଛି। ପୂର୍ବରୁ ଡଙ୍ଗରିଆଙ୍କ ଡିଜାଇନ୍ ଥିବା ବହୁ ସାମଗ୍ରୀ ଫଟୋ ଥିବା ପୃଷ୍ଠା ଆଉ ଖୋଲୁନଥିବା ବେଳେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଡଙ୍ଗରିଆ। ଆଜି ବିଷମକଟକ ବ୍ଲକ୍ କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛି।

publive-image

ଡଙ୍ଗରିଆଙ୍କ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ବହୁ ଇ-କମର୍ସ ସଂସ୍ଥା ଦୀର୍ଘ ଦିନ ଧରି ସେମାନଙ୍କ ବେପାର ଚଳାଇଥିଲେ। ଡଙ୍ଗରିଆଙ୍କ ଡିଜାଇନ୍ ସେମାନଙ୍କ ଧର୍ମୀୟ ଭାବନା ସହ ଜଡ଼ିତ ଥିବା ବେଳେ ବ୍ୟବସାୟିକ ସଂସ୍ଥା ଉକ୍ତ ଡିଜାଇନକୁ ଚପଲ, ବ୍ୟାଗ୍, ଶାଢ଼ିରେ ବ୍ୟବହାର କରି ଆସୁଥିଲେ। ଚପଲ ସହିତ ଶାଢ଼ିରେ ଥିବା ଡିଜାଇନ୍ ପାଦକୁ ଲାଗୁଥିବାରୁ ଏହାର ପ୍ରତିବାଦ କରିଛନ୍ତି ଡଙ୍ଗରିଆ। ଡଙ୍ଗରିଆଙ୍କ କପଡ଼ାଗୁନ୍ଦା ଡିଜାଇନର ବିଶେଷତ୍ବ ଥିବା ବେଳେ ଏହା ଜାତୀୟ, ଅନ୍ତର୍ଜାତୀୟ ବଜାରରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ବ୍ୟବସାୟୀ ସଂସ୍ଥା ଡିଜାଇନର ଗୁରୁତ୍ବ ନ ବୁଝି ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ବ୍ୟବହାର କରି ମାଲାମାଲ୍ ହେଉଛନ୍ତି। ଡଙ୍ଗରିଆ ସାଲ୍ ସମେତ, ମାସ୍କ, ହସ୍ତତନ୍ତ ସାମଗ୍ରୀର ବିକ୍ରୟ ଦାୟିତ୍ବରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ଏବଂ ଆଦିବାସୀ ଉନ୍ନୟନ ସମୁଦାୟ ନିଗମ (ଟିଡିସିସି) ରହିଛି। ଅନ୍‌ଲାଇନରେ ସାମଗ୍ରୀ ବିକ୍ରି ପାଇଁ ଏଯାବତ୍ କୌଣସି ପଦକ୍ଷେପ ନେଇ ନାହାନ୍ତି ଉଭୟ ସଂସ୍ଥା। କିନ୍ତୁ ବେଆଇନ ଭାବେ ଇ-କମର୍ସ ସାଇଟରେ ବେପାର ଜମାଇଥିବା ବ୍ୟବସାୟୀ ଡଙ୍ଗରିଆଙ୍କ ଡିଜାଇନ୍ ବ୍ୟବହାର କରି ଆସୁଥିଲେ। ଡଙ୍ଗରିଆ ଯୁବ ନେତା ଜିତୁ ଜାକେସିକାଙ୍କ ସମେତ କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ଇ-କମର୍ସ ସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁସୂଚିତ ଜାତି, ଜନଜାତି ବିଭାଗ ନିର୍ଦେଶିକା ଗୁହା ପୁନମ ତାପସ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗୀୟ ନିର୍ଦେଶ ହୋଇଥିଲା। ଆଜି ଜିତୁ ଜାକେସିକା ଓ କୁର୍ଲି ସରପଞ୍ଚ ବିଷମକଟକ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe