ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ତଳୀର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଶୁଣା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତରେ ଆଜି ଅପରାହ୍ଣରେ ରାମଚନ୍ଦ୍ରପୁର ଥାନା ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଉପଖଣ୍ତ ପୁଲିସ ଅଧିକାରୀ ଅନିଲ କୁମାର ବେଉରିଆଙ୍କ ନେତୃତ୍ବରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା, ଏସ୍ଆଇ ଅଭିମନ୍ୟୁ ଦାସ, ଚିତ୍ରଗୁପ୍ତ ଚମ୍ପିଆ, ସାଇଁକୁଳ ଫାଣ୍ତି ଅଧିକାରୀ ମାନସ ରଂଜନ ବେହେରାଙ୍କ ସମେତ ବହୁ ପୁଲିସ ଫୋର୍ସ ଫ୍ଲାଗ୍ମାର୍ଚ୍ଚରେ ସାମିଲ ହୋଇଥିଲେ। ରାମଚନ୍ଦ୍ରପୁର ଥାନା ଅଧୀନରେ ଥିବା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଞ୍ଚଳ। ଏଠାରେ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ହେବାକୁ ଯାଉଛି। ଏହା ପୂର୍ବରୁ ଏଠାରେ ରାଜନୈତିକ ହିଂସା ଦେଖା ଦେଇଥିବାରୁ ଏହି ପଞ୍ଚାୟତକୁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ ଭୋଟରଙ୍କୁ ନିରପେକ୍ଷ ଭାବେ ମତ ଅଧିକାର ପ୍ରଦାନ କରିବା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଗଡ଼ବାନ୍ଧଗୋଡ଼ା ଗାଁରେ ପୁଲିସର ଫ୍ଲାଗମାର୍ଚ୍ଚ
Advertisment
Follow Us