ଚୋରା ମଦ ଧରିବାକୁ ଛଦ୍ମବେଶରେ ଗଲେ ଥାନା ଅଧିକାରୀ

ଚୋରା ମଦ ଧରିବାକୁ ଛଦ୍ମବେଶରେ ଗଲେ ଥାନା ଅଧିକାରୀ

ଝାରସୁଗୁଡ଼ା: ଲକଡାଉନ ଯୋଗୁଁ ଏବେ ମଦଭାଟି ବନ୍ଦ ଥିବା ସୁଯୋଗରେ ଘରେ ଘରେ ଚାଲିଛି ବେଆଇନ ମଦ କାରବାର। ଗାଁ ଗାଁରେ ଚାଲିଛି ଏହି ବେଆଇନ କାରବାର। ଲୁଚାଛପା ଅଳ୍ପ ପରିମାଣରେ ମଦ ପ୍ରସ୍ତୁତ କରୁଥିବା ମାଫିଆ ଏବେ ବିପୁଳ ସଂଖ୍ୟାରେ ମଦ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ପୁଲିସ ଓ ଅବକାରୀ ବିଭାଗଠାରୁ ଦୂରେଇ ରହିବା ପାଇଁ ଏହି ମାଫିଆମାନେ ଏବେ ନିଛାଟିଆ ଘଞ୍ଚ ଜଙ୍ଗଲ ଭିତରେ ମଦ ପ୍ରସ୍ତୁତ କରୁଛନ୍ତି। ଏବେ ମହୁଲ ପ୍ରଚୁର ପରିମାଣରେ ମିଳୁଥିବା ବେଳେ ତାଙ୍କୁ ଅବୈଜ୍ଞାନିକ ଉପାୟରେ ପଚାଯାଇ ଛୋଟ ଛୋଟ ଭାଟି ପ୍ରସ୍ତୁତ କରି ମଦ ପ୍ରସ୍ତୁତ କରି ତାକୁ ବଡ଼ ବଡ଼ ଟ୍ରକ,ବସ ଚକରେ ଲାଗୁଥିବା ଟ୍ୟୁବରେ ଭର୍ତ୍ତି କରି ବାଇକ ଦ୍ବାରା ବିଭିନ୍ନ କୁଚିଆ ମାନଙ୍କ ପାଖକୁ ପଠାଯାଉଛି। କୁଚିଆ ମାନେ ସେଥିରେ ପାଣି ମିଶାଇ ମଦୁଆ ମାନଙ୍କୁ ବିକ୍ରୟ କରୁଛନ୍ତି।

publive-image

ମଦକୁ ବେଶୀ ନିଶା କରିବା ପାଇଁ ସେଥିରେ ୟୁରିଆ ସାର ମଧ୍ୟ ପ୍ରୟୋଗ କରୁଥିବା ଜଣାଯାଇଛି। ସାରା ଜିଲ୍ଲାରେ ଏବେ ଛତୁ ଫୁଟିଲା ଭଳି ମଦଭାଟି କୁଟୀର ଶିଳ୍ପରେ ପରିଣତ ହୋଇ ଯାଇଛି। ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ନାକେଦମ ହେଉଛନ୍ତି। ପୁଲିସ ଚଢ଼ାଉ ପାଇଁ ପହଞ୍ଚିବାବେଳେ ଏହି ଅପରାଧିମାନେ ଘଟଣାସ୍ଥଳରୁ ଦୌଡ଼ି ଫେରାର ହୋଇ ଯାଉଛନ୍ତି। ଲଖନପୁର ବ୍ଲକ ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଲ ଭିତରେ ଅନେକ ସ୍ଥାନରେ ଏବେ ଏହି ମଦଭାଟି ମାନ ଚାଲିଛି। ଏହି ଭାଟି ଉପରେ ଚଢ଼ାଉ କରିବା ପାଇଁ ଆଜି ପୁଲିସ ନିଜ ବେଶ ପୋଷାକ ବଦଳାଇ ଚଢ଼ାଉ କରିଥିବା ବେଶ ଚର୍ଚ୍ଚାର ବିଷୟ ହୋଇଛି।

ଲଖନପୁର ଥାନା ରେମଣ୍ଡା ପଞ୍ଚାୟତର ଚାରମାଲ ଓ ପୁରୁଣା ଚାରମାଲ ଜଙ୍ଗଲ ଭିତରକୁ ଆଜି ଲଖନପୁର ଆଇଆଇସି ବୈକୁଣ୍ଠ ସେଠ୍ ଏକ ମଇଳା ଫୁଲ୍ ନିକର ଓ ନାଲି ରଙ୍ଗର ଟି ସାର୍ଟ ପିନ୍ଧି ଥିଲେ ଓ ଅଣ୍ଟାରେ ଏକ ମଇଳା ଗାମୁଛା ଗୋଡ଼ାଇ ଭାଟି ପାଖକୁ ଯାଇଥିଲେ। ମଦ ପ୍ରସ୍ତୁତ କରୁଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେଠାରେ ବେଶ ବଦଳାଇ ରହିଥିବା ଅନ୍ୟ ତିନିଜଣ ପୁଲିସ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ସମେସ୍ତ ମିଶି ଏମାନଙ୍କୁ କାବୁ କରି ମଦ ଜବତ କରିବା ସହିତ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ମଦ ପ୍ରସ୍ତୁତ ପାଇଁ ଥିବା ମହୁଲକୁ ଜଳଭଣ୍ଡାରରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe