image source--indiatoday
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳରେ ପୁଣି ହିଂସା ଘଟାଇଛନ୍ତି ନକ୍ସଲ। ପୁଲିସ ଇନଫର୍ମର ଦର୍ଶାଇ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ବିକାଶମୂଳକ କାର୍ଯ୍ୟକୁ ବିରୋଧ କରି ନକ୍ସଲ ଏହି ନୃଶଂସକାଣ୍ଡ ଘଟାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁକମା ଅଞ୍ଚଳର କରକା ଘାଟରେ ଗୋଟିଏ ପୋଲ ନିର୍ମାଣ ଚାଲିଛି। ଏହି ପୋଲକୁ ବାରମ୍ବାର ନକ୍ସଲ ବିରୋଧ କରି ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ ପୋଲ ନିର୍ମାଣ କାମରେ ସ୍ଥାନୀୟ ଜଗୁ ମଣ୍ଡଳ ନାମକ ଜଣେ ଯୁବକ କାମ କରୁଥିଲେ। ତେଣୁ ସଶସ୍ତ୍ର ନକ୍ସଲ ଗତକାଲି ରାତିରେ ଜଗୁଙ୍କୁ ଉଠାଇ ନେଇଥିଲେ। ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରି ଶବ ନିକଟରେ ଗୋଟିଏ ପୋଷ୍ଟର ଛାଡ଼ି ଚାଲି ଯାଇଥିଲେ। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଜଗୁ ପୁଲିସ ପାଇଁ ଇନଫର୍ମର ଭାବେ କାମ କରୁଥିଲା। ପୋଲ କାମ ନକରିବା ପାଇଁ ବାରମ୍ବାର ତାଗିଦ୍ ସତ୍ତ୍ବେ ସେ କାମ କରିବାକୁ ଯାଉଥିଲା। ଏଥିପାଇଁ ହତ୍ୟା କରାଯାଇଥିବା ନକ୍ସଲ ଉଲ୍ଲେଖ କରିଛନ୍ତି। ପରତାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ଜବତ କରିବା ସହ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
Follow Us