ନକ୍ସଲଙ୍କ ଟାର୍ଗେଟରେ ପୁଲିସ ଇନ୍‌ଫର୍ମର: ଗାଁରୁ ବିତାଡ଼ିତ ହେଲେ ପରିବାର

Advertisment
ନକ୍ସଲଙ୍କ ଟାର୍ଗେଟରେ ପୁଲିସ ଇନ୍‌ଫର୍ମର: ଗାଁରୁ ବିତାଡ଼ିତ ହେଲେ ପରିବାର

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ସରକାର ବଦଳିବା ପରେ ଆରମ୍ଭ ହୋଇଛି ନକ୍ସଲଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ। ଗତ ୫ମାସ ମଧ୍ୟରେ ୧୩୦ ନକ୍ସଲ ନିହତ ହୋଇଛନ୍ତି। ବହୁ ସଂଖ୍ୟାରେ ନକ୍ସଲ ମୁଖ୍ୟସ୍ରୋତକୁ ଫେରି ଆତ୍ମସମର୍ପଣ କରୁଛନ୍ତି। ଯାହା ସଂଗଠନକୁ ଯଥେଷ୍ଟ ଦୁର୍ବଳ କରିଛି। ଏମିତି ସ୍ଥିତିରେ ଆତଙ୍କ କମିବାରୁ ନକ୍ସଲ ପୁଣି ରକ୍ତମୁଖା ହୋଇଛନ୍ତି। ପୁଲିସ ଇନଫର୍ମରଙ୍କୁ ଚିହ୍ନଟ କରି ପ୍ରତିଶୋଧ ନେଉଛନ୍ତି। ଏହିକ୍ରମରେ ଆବୁଝମାଡ ଅଞ୍ଚଳର ଆଦାତ ପଞ୍ଚାୟତ ଅନ୍ତର୍ଗତ ସତଗର ଗାଁର ଗୋଟିଏ ପରିବାରର ୧୫ ଜଣ ସଦସ୍ୟଙ୍କୁ ପୁଲିସ ଇନ୍‌ଫର୍ମର ସଂଦେହରେ ଗାଁରୁ ବିତାଡ଼ିତ କରିଛନ୍ତି।

ଗତ ୧୫ତାରିଖରେ ନାରାୟଣପୁର ଜିଲ୍ଲା ଆବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ନକ୍ସଲ ନିହତ ହୋଇଥିଲେ। ଏହି ଘଟଣା ପରେ ନକ୍ସଲ ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ କିପରି ଆବୁଝମାଡ଼ ନକ୍ସଲ କ୍ୟାମ୍ପ ସଂପର୍କରେ ଜାଣିଲା, ଏହି ସୂଚନା କିଏ ଦେଲା ତାହାର ଖୋଳତାଡ଼ କରୁଛନ୍ତି ନକ୍ସଲ। ପୂର୍ବରୁ ସତଗର ଗାଁର ଦୁଇ ଭାଇଙ୍କୁ ପୁଲିସ ସୂଚନାଦାତା ଅଭିଯୋଗରେ ନକ୍ସଲ ନିର୍ମମ ଭାବେ ହତ୍ୟା କରିଥିଲେ। ତେଣୁ ୧୫ତାରିଖ ଘଟଣା ପାଇଁ ସେହି ପରିବାର ହିଁ ପୁଲିସକୁ ସୂଚନା ଦେଇଥିବା ନକ୍ସଲ ସନ୍ଦେହ କରିଥିଲେ। ଏଥିପାଇଁ ପ୍ରଜାକୋର୍ଟରେ ପରିବାରର ୧୫ଜଣଙ୍କୁ ହାଜର କରି ନିର୍ଯାତନା ଦେଇଥିଲେ। ତୁରନ୍ତ ଗାଁ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲେ। ମୃତ୍ୟୁ ଭୟରେ ଏହି ପରିବାର ଗାଁ ଛାଡ଼ି ନାରାୟଣପୁରରେ ଏକ ଅସ୍ଥାୟୀ ଘରେ ଆଶ୍ରୟ ନେଇଛନ୍ତି। ନିଜ ଜମି, ଗାଈଗୋରୁ ସହ ସବୁ ସଂପତ୍ତି ଗାଁରେ ଛାଡ଼ି ଆସିଛନ୍ତି। ପ୍ରଶାସନର ସହାୟତା ଅପେକ୍ଷାରେ ରହିଛନ୍ତି। ପୁଲିସ ତୁରନ୍ତ ସୁରକ୍ଷା ନଦେଲେ ଆଗକୁ ବି ନିରୀହ ଲୋକଙ୍କ ଉପରେ ନକ୍ସଲ ଏମିତି ଅତ୍ୟାଚାର କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe