ଲକଡାଉନ୍ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ କରି ଫସିଲେ ଥାନା ଅଧିକାରୀ; ପରିବାର ସହ ସିଂହଦ୍ବାର ଥାନାରେ ଅଟକ, ଗାଡ଼ି ଜବତ

Advertisment
ଲକଡାଉନ୍ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ କରି ଫସିଲେ ଥାନା ଅଧିକାରୀ; ପରିବାର ସହ ସିଂହଦ୍ବାର ଥାନାରେ ଅଟକ, ଗାଡ଼ି ଜବତ

ପୁରୀ : ଲକ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ତେବେ ଏହି କଡ଼ା କଟକଣା ଓ ସୁରକ୍ଷା ବଳୟକୁ ଭେଦ କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । କଡ଼ା ପହରା ସତ୍ତ୍ବେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ଦକ୍ଷିଣଦ୍ବାରରେ ମୁତୟନ ପୁଲିସ ହାତରେ ଧରା ପଡ଼ିଛନ୍ତି।

ପୁଲିସ କର୍ମଚାରୀର ପରିଚୟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବି ସାଧାରଣ ଲୋକଙ୍କ ଚାପରେ ସିଂହଦ୍ବାର ପୁଲିସ ଥାନା ଅଧିକାରୀ ଶ୍ରୀ ଜେନା ଓ ତାଙ୍କ ପରିବାରକୁ ଅଟକ ରଖିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି। ଏହି ଘଟଣା ପରେ କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ସିଂହଦ୍ବାର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି ସଂଧ୍ୟାରେ ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଏକ ହଳଦିଆ ବତୀ ଲାଗିଥିବା ଧଳାଗାଡ଼ିରେ  ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ପହଞ୍ଚିବା ପରେ ଦର୍ଶନ ପାଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଦର୍ଶନ ସାରି ଫେରିବା ବେଳକୁ ବଡ଼ଚଣା ଥାନା ଅଧିକାରୀ ଜେନା ଓ ତାଙ୍କ ପରିବାରକୁ ସିଂହଦ୍ବାର ପୁଲିସ ଧରିନେଇ ଥାନାରେ ଅଟକ ରଖିଛି। ଏ ନେଇ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe