ହତ୍ୟା ମାମଲାରେ ପୁଲିସର ତତ୍ପରତା ଏମିତି : ଆଇଆଇସି ଛୁଟିରେ, ଆସିଲେ ତଦନ୍ତ ହେବ

ହତ୍ୟା ମାମଲାରେ ପୁଲିସର ତତ୍ପରତା ଏମିତି : ଆଇଆଇସି ଛୁଟିରେ, ଆସିଲେ ତଦନ୍ତ ହେବ

Odisha Police

ରୁପସା : ଜଣେ ବ୍ୟକ୍ତିଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଡାକି ହତ୍ୟା କରାଯାଇଥିବା ଅଭିଯୋଗ ପରେ ବି ପୁଲିସ ତଦନ୍ତରେ ଶିଥିଳତାକୁ ନେଇ ଉଠିଛି ପ୍ରଶ୍ନ। ସିଂଲା ଥାନା ସାଉଡ଼ି ଅଞ୍ଚଳର ଏହି ରହସ୍ୟପୂର୍ଣ୍ଣ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ସାଉଡ଼ି ଗ୍ରାମର ବୈଦ୍ୟନାଥ ମଲ୍ଲିକ(୫୫)। ଦୈନିକ ମଜୁରିରେ ପ୍ରତିଦିନ କଷାଫଳ ମୁହାଣରୁ ସମୁଦ୍ରକୁ ଯାଉଥିବା ଭୁଟୁଭୁଟିରେ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ତେବେ ମାଲିକ ମଜୁରି ଦେଉନଥିବାରୁ ତାଙ୍କ ସହ ଉଚ୍ଚବାଚ ହେବା ପରେ ସେ ଆଉ କାମକୁ ନଯାଇ ଘରେ ବସିଥିଲେ। ଗତ ଅକ୍ଟୋବର ମାସ ୧୨ ତାରିଖ ସକାଳେ ଉକ୍ତ ଭୁଟୁଭୁଟିର ମାଲିକ ଏବଂ ତାଙ୍କ ସହଯୋଗୀମାନେ ବୈଦ୍ୟନାଥଙ୍କୁ ଘରକୁ ଆସି ତାଙ୍କୁ କାମ ଓ ମଜୁରି ଦେବାର ପ୍ରତିଶ୍ରୁତି ଦେଇ ଘରୁ ଡାକିନେଇଥିଲେ। ଏହାପରେ ୧୪ ତାରିଖ ସକାଳ ୯ଟା ସମୟରେ ସେ ଗୁରୁତର ଅବସ୍ଥାରେ ମୁହାଣ ନିକଟରେ ପଡ଼ିଥିବା ତାଙ୍କ ଘରଲୋକଙ୍କୁ ଖବର ଆସିଥିଲା। ଘରଲୋକ ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ। ଏଠାରେ ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ବାଲେଶ୍ବର ଟାଉନ୍‌ ଥାନା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିଲା।

ସେପଟେ ମୃତ ବୈଦନାଥଙ୍କ ଦେହ ଓ ମୁଣ୍ଡରେ ଗଭୀର ଆଘାତ ଏବଂ ଫୁଲାଚିହ୍ନ ରହିଥିବାରୁ ତାଙ୍କ ପରିବାର ସମ୍ପୃକ୍ତ ଭୁଟୁଭୁଟି ମାଲିକଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ସେ ଓ ତାଙ୍କର ସମସ୍ତ ସହଯୋଗୀ ମୁହାଣରୁ ଫେରାର ହୋଇଯାଇଥିଲେ। ଏହା ନିଶ୍ଚିତ ଭାବେ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ନେଇ ମୃତକଙ୍କ ପୁଅ ସେହିଦିନ କଷାଫଳ ସାମୁଦ୍ରିକ ଥାନାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇନଥିଲା। ପରେ ସେ ବସ୍ତା ଏସ୍‌ଡିପିଓଙ୍କୁ ଭେଟି ଏହି ଏତଲା ଦେଇଥିଲେ। ସେ ମଧ୍ୟ ଏହି ଘଟଣାକୁ ଗୁରୁତର ସହକାରେ ନନେଇ ଅଭିଯୋଗକାରୀଙ୍କୁ ଫେରାଇଦେଲେ। ଇତିମଧ୍ୟ‌ରେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଥିବା ବେଳେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି। କିନ୍ତୁ ଏମିତି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ କିପରି ଚୁପ୍‌ ବସିଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବସ୍ତା ଏସଡିପିଓ ଜଳନ୍ଧର ଜାଲିଙ୍କୁ ପଚାରିବାରୁ ସେ କହିଥିଲେ, କ‌ଷାଫଳ ସାମୁଦ୍ରିକ ଥାନା ଆଇଆଇସି ଛୁଟିରେ ଅଛନ୍ତି। ସେ ଆସିଲେ ଏ ଘଟଣାରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe