ସମ୍ବଲପୁର: ବଢ଼ିଲା ଡିଏସ୍ପି ରମେଶ ଦୋରାଙ୍କ ଅଡୁଆ। ନକଲି ଜାତି ପ୍ରମାଣପତ୍ର ବଳରେ ରମେଶ ଦୋରା ଚାକିରି କରୁଥିବା ପ୍ରମାଣିତ ହୋଇଛି। ଉତ୍ତରାଞ୍ଚଳ ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ଡିଏସ୍ପି ଦୋରାଙ୍କ ଜନଜାତି ପ୍ରମାଣପତ୍ର ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ପୂର୍ବତନ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ତଥା ବର୍ତ୍ତମାନର ଢେଙ୍କାନାଳ ଏସ୍ଡିପିଓ ରମେଶ ଦୋରା ଜନଜାତି (ଏସ୍ଟି) ପ୍ରମାଣପତ୍ରରେ ସରକାରୀ ଚାକିରି କରୁଛନ୍ତି। ବରଗଡ଼ର ମୂଳନିବାସୀ ରମେଶ ‘ତେଲେଂଗା’ ଜାତିର ହୋଇଥିବା ବେଳେ ସେ ନିଜର ଜାତି ‘କୋଣ୍ଡା ଦୋରା’ ଦର୍ଶାଇ ଜନଜାତି ପ୍ରମାଣପତ୍ର ବାହାର କରିଥିଲେ। ତାଙ୍କ ପିତାଙ୍କ ନାମରେ ଥିବା ଜମି ପଟ୍ଟାରେ ଜାତି ‘ତେଲେଂଗା’ ବୋଲି ଦର୍ଶାଉଛି। ‘ତେଲେଂଗା’ ଜାତି ଜନଜାତି ବର୍ଗରେ ଆସୁନଥିବାରୁ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ତାଙ୍କ ଜନଜାତି ପ୍ରମାଣପତ୍ର ରଦ୍ଦ ପାଇଁ ଆଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ରମେଶଙ୍କ ଅଡ଼ୁଆ ବଢ଼ିପାରେ। ସେ ଚାକିରି ହରାଇବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନର ବି ସମ୍ମୁଖୀନ ହେବା ନିଶ୍ଚିତ ବୋଲି କୁହାଯାଉଛି। ରମେଶ ପୂର୍ବରୁ ବ୍ୟକ୍ତିଗତ ଭାବେ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ଗତ ୧୮ ତାରିଖରେ ଶେଷ ଥର ପାଇଁ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ବୈଠକ ବସିଥିଲା। ତେବେ ଯାଞ୍ଚ କମିଟି ଅଧ୍ୟକ୍ଷ ଆର୍ଡିସି ସେଦିନ ରମେଶଙ୍କ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଯାଞ୍ଚ କମିଟି ରାୟ ପ୍ରକାଶ ପାଇବା ପରେ ନକଲି ଜାତି ପ୍ରମାଣପତ୍ର ଅଭିଯୋଗ ଆସିଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ମଧ୍ୟ ନକଲି ଜାତି ପ୍ରମାଣପତ୍ର ଅଭିଯୋଗ ଆସିଛି। ଶ୍ରୀ ମହାଲିଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଡିଂଗର କୁମ୍ଭାର ଗତ ୧୮ ତାରିଖ ଦିନ ନିଜେ ଯାଞ୍ଚ କମିଟିରେ ଉପସ୍ଥିତ ହୋଇ ତଥ୍ୟ ଉପସ୍ଥାପନ କରିଥିଲେ। ମୁକେଶ ବେଆଇନ ଭାବେ ଏସ୍ସି (କେଉଟ) ଜାତି ପ୍ରମାଣପତ୍ର ହାସଲ କରି ପାଠ ପଢ଼ିବା, ଚାକିରି କରିବା ସହିତ ପରବର୍ତ୍ତୀ ସମୟରେ ଲୋଇସିଂହା ସଂରକ୍ଷିତ (ଏସ୍ସି) ବିଧାନସଭା ଆସନରୁ ବିଧାୟକ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଏ ପର୍ଯ୍ୟନ୍ତ ମୁକେଶଙ୍କୁ ଯାଞ୍ଚ କମିଟିରେ ହାଜର ହେବା ପାଇଁ ଡକାଯାଇ ନଥିବା ବେଳେ ସରକାରୀ କାଗଜପତ୍ର ଯାଞ୍ଚ କରାଯାଉଛି। ରେଂଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆଙ୍କ ଶିକ୍ଷୟିତ୍ରୀ ପତ୍ନୀ କମଳିନୀ ଦର୍ଜିଙ୍କ ଜାତି ପ୍ରମାଣପତ୍ର ମାମଲା ମଧ୍ୟ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ନିକଟରେ ବିଚାରାଧୀନ ରହିଛି।
Follow Us