ବଲାଙ୍ଗୀର: ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଛତରଦାଣ୍ଡି ଜଙ୍ଗଲର ମହଖଣ୍ଡ ଗାଁ ନିକଟରେ ମାଓବାଦୀ ଓ ପୁଲିସ ଗୁଳି ବିନିମୟରେ ଆହତ ହୋଇଥିବା ବେଲପଡ଼ା ବ୍ଲକ କାନୁଟ ନିବାସୀ ଏସଓଜି ଯବାନ ଚନ୍ଦ୍ରଭାନୁ ବୋଏ (୨୮)ଙ୍କୁ ଅସ୍ତ୍ରୋପଚାର ପାଇଁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପଟେ ମାଓବାଦୀଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ବଲାଙ୍ଗୀରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ରବିବାର ରାତିରେ ମାଓବାଦୀମାନେ ମହଖଣ୍ଡ ଗାଁକୁ ଆସିଥବା ସୂଚନା ପାଇ ଟିମ୍ ଅପରେସନ୍ ପାଇଁ ଯାଇଥିଲେ। ଏହି ସମୟରେ ମାଓବାଦୀମାନେ ପୁଲିସ ଉପସ୍ଥିତି ସଂପର୍କରେ ଆଗୁଆ ସୂଚନା ପାଇ ସତର୍କ ହୋଇ ଯାଇଥିଲେ। ପୁଲିସ ଗୁଳି ଚଳାଇବା ପୂର୍ବରୁ ସେମାନେ ପାଲଟା ଗୁଳି ବର୍ଷା କରିଥିଲେ। ଚନ୍ଦ୍ରଭାନୁଙ୍କ ତଳି ପେଟରେ ଏକ ଗୁଳି ବାଜି ଅଣ୍ଟା ପଟୁ ବାହାରି ଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିବା ବେଳେ ତୁରନ୍ତ ଚନ୍ଦ୍ରଭାନୁଙ୍କୁ ପୁଲିସ ଟିମ୍ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ରାତି ଦେଢ଼ଟା ବେଳେ କଣ୍ଟାବାଞ୍ଜି ଡିଏସ୍ପି ପ୍ରଫୁଲ୍ଲ ମିଶ୍ର ଚନ୍ଦ୍ରଭାନୁଙ୍କୁ ଆମ୍ବୁଲାନ୍ସରେ ଆଣି ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସୋମବାର ଦିନ ସାଢ଼େ ୧୧ଟା ବେଳେ ଚନ୍ଦ୍ରଭାନୁଙ୍କୁ ପବନହଂସ ଚପର୍ରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।
ମହଖଣ୍ଡରେ ମାଓ-ପୁଲିସ ଗୁଳି ବିନିମୟ
Advertisment
Follow Us