News Nation
କେସିଙ୍ଗା/ଭବାନୀପାଟଣା : କଳାହାଣ୍ଡି- କନ୍ଧମାଳ ସୀମାରେ ଶୁକ୍ରବାର ଏସ୍ଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଓ ଜିଲ୍ଲା ଏସ୍ପି ଶ୍ରବଣା ବିବେକ ସୂଚନା ଦେଇଛନ୍ତି।
ଶୁକ୍ରବାର ମଦନପୁର ରାମପୁର ରେଞ୍ଜ ଲାହାଡ଼ି ଲୁବେନଗଡ଼ ସଂରକ୍ଷିତ ଜଙ୍ଗଲରେ ଏହି ଅପରେସନ ହୋଇଥିଲା। ପୂର୍ବାହ୍ଣ ୧୦ଟାରୁ ୧୧ଟା ମଧ୍ୟରେ ଏସ୍ଓଜି ଓ ଡିଭିଏଫ୍ ଯବାନ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯବାନମାନେ ମାଓବାଦୀଙ୍କୁ ସେମାନେ ଧରିଥିବା ଅସ୍ତ୍ରଶସ୍ତ୍ର ଦେଇ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ମାଓବାଦୀମାନେ ରାଜି ନହୋଇ ଗୁଳି ବର୍ଷଣ କରିଥିଲେ। ଫଳରେ ଯବାନମାନେ ଗୁଳି ଚଳାଇଥିଲେ। ଅଞ୍ଚଳରେ ଏବେ ବି କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ବର୍ତ୍ତମାନ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଉ ବି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହି କ୍ୟାମ୍ପରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେହି ସ୍ଥାନରୁ ମାଓ ପୋଷ୍ଟର, ଅଫୁଟା ଗୁଳି ଓ ବିଭିନ୍ନ ସାମଗ୍ରୀ ବି ଜବତ ହୋଇଥିବା ପ୍ରେସ୍ ଇସ୍ତାହାରରେ କୁହାଯାଇଛି। ପ୍ରାୟ ୨୦ ଜଣ ସଦସ୍ୟ ଏହି କେମ୍ପରେ ଥିବା ଅନୁମାନ କରାଯାଉଥିବା ଏବଂ ମୃତ ମହିଳା ମାଓବାଦୀ ରାଜ୍ୟ ସଦସ୍ୟ ବୋଲି ଏସ୍ପି ସୂଚନା ଦେଇଛନ୍ତି।
Follow Us