ଗଞ୍ଜେଇ ମାଫିଆଙ୍କ ମେଣ୍ଟରେ ପୁଲିସ ବାବୁ! କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଅଟକ ରଖିଥିଲେ

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ରାଉନସୁଗାର୍‌ ପାଇଁ ବଦନାମ ମୁଣ୍ଡାଇଥିବା ବେଳେ ସମାନ ସ୍ଥିତି ହେଲାଣି କି କଟକ ଜିଲ୍ଲା ତିଗିରିଆରେ। ଏବେ ଗଞ୍ଜେଇ ମାଫିଆ ତିଗିରିଆରେ ଗୋଦାମ ଖୋଲି ମାଲ୍ ଗଚ୍ଛିତ ରଖିଲେଣି।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ରାଉନସୁଗାର୍‌ ପାଇଁ ବଦନାମ ମୁଣ୍ଡାଇଥିବା ବେଳେ ସମାନ ସ୍ଥିତି ହେଲାଣି କି କଟକ ଜିଲ୍ଲା ତିଗିରିଆରେ। ଏବେ ଗଞ୍ଜେଇ ମାଫିଆ ତିଗିରିଆରେ ଗୋଦାମ ଖୋଲି ମାଲ୍ ଗଚ୍ଛିତ ରଖିଲେଣି।

Police

କଟକ: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ରାଉନସୁଗାର୍‌ ପାଇଁ ବଦନାମ ମୁଣ୍ଡାଇଥିବା ବେଳେ ସମାନ ସ୍ଥିତି ହେଲାଣି କି କଟକ ଜିଲ୍ଲା ତିଗିରିଆରେ। ଏବେ ଗଞ୍ଜେଇ ମାଫିଆ ତିଗିରିଆରେ ଗୋଦାମ ଖୋଲି ମାଲ୍ ଗଚ୍ଛିତ ରଖିଲେଣି। ଏଠୁ ଉତ୍ତର ଭାରତକୁ ଗଞ୍ଜେଇ ବଡ଼ କଣ୍ଟେନର୍‌ରେ ବନ୍ଧୁକଧାରୀ ଏସ୍‌କର୍ଟ ଟିମ୍ ଦ୍ବାରା ଚାଲାଣ ହେଉଛି। ଦକ୍ଷିଣ ଓଡ଼ିଶାରୁ ଆସୁଥିବା ଗଞ୍ଜେଇ ତିଗିରିଆରେ ଥିବା ଡିପୋରେ ମହଜୁଦ ରହୁଛି। ଉତ୍ତରଭାରତ ଓ ଦକ୍ଷିଣ ଓଡ଼ିଶା ଭିତରେ ତିଗିରିଆ ଏକ ପ୍ରମୁଖ ପେଣ୍ଠ ପାଲଟିଲାଣି। ଏମାନେ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଥିବାରୁ ଅବକାରୀ ବିଭାଗ ଚଢ଼ଉ କରିବାକୁ ସାହସ କରିପାରୁନି।  କଟକ ଗ୍ରାମାଞ୍ଚଳ ପୁଲିସ ନିକଟରେ ପର୍ଯ୍ୟାପ୍ତ ବନ୍ଧୁକଧାରୀ ଫୋର୍ସ ଥିବା ସତ୍ତ୍ବେ ଚଢ଼ଉ ନ କରିବା ଅସାଧୁ କାରବାର ଆଡ଼କୁ ଇଙ୍ଗିତ କରୁଛି। 

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ଗଞ୍ଜେଇ ବାଲିଗୁଡ଼ା ଦେଇ ବୌଦ୍ଧ ରାସ୍ତାରେ ନୟାଗଡ଼ର ଚାରିଛକରେ ପହଞ୍ଚୁଛି। ସେଠୁ କଟକ ଜିଲ୍ଲା କାନପୁର ଥାନା ସିଦ୍ଧମୂଳ ବ୍ରିଜ୍‌ ଦେଇ କଟକ ଜିଲ୍ଲାକୁ ପ୍ରବେଶ କରୁଛି। ତିଗିରିଆ ଥାନା ଅଧୀନରେ ଥିବା ନୂଆପାଟଣା, ପଙ୍କାଳ, ଅଚଳକୋଟ, କରଡ଼ାପଲ୍ଲୀରେ ଗଞ୍ଜେଇ ଗୋଦାମ ଖୋଲିଛି। ସେଠାରୁ ବଡ଼ କଣ୍ଟେନର୍‌ରେ ବନ୍ଧୁକଧାରୀ ଏସ୍‌କର୍ଟ ସହିତ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦିଲ୍ଲୀ ଓ ଗୋଆ ଯାଏ ଚାଲାଣ ହେଉଛି। ଏସ୍‌କର୍ଟ ପାଇଁ ମୁଖ୍ୟତଃ ସ୍କର୍ପିଓ ବ୍ୟବହାର କରାଯାଉଛି।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଅଟକ ରଖିଥିଲେ
ଦିଲ୍ଲୀ, ଗୋଆ, ଝାଡ଼ଖଣ୍ଡ ନେଉଛନ୍ତି ବନ୍ଧୁକଧାରୀ ଏସ୍‌କର୍ଟ
ବିନା ପୁଲିସ ସହଯୋଗରେ ଚଢ଼ଉ ପାଇଁ ସମସ୍ତେ ନାରାଜ

୨୦୨୦-୨୧ରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ତିନି ପୁଲିସ ଅଧିକାରୀ ପଙ୍କାଳ ଗାଁ ନିକଟ ଏକ ସଂରକ୍ଷିତ ଜଙ୍ଗଲରେ ଥିବା ଗଞ୍ଜେଇ ଗୋଦାମରେ ଚଢ଼ଉ କରିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି କୁଖ୍ୟାତ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସେମାନଙ୍କୁ ଅଟକ ରଖିଥିଲେ। ତତ୍କାଳୀନ ତିଗିରିଆ ଥାନା ଓଆଇସି ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ଏସ୍‌ଟିଏଫ୍ ଅଧିକାରୀଙ୍କୁ ଉଦ୍ଧାର କରିଥିଲା। ସେହିଭଳି ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟରେ ଆଉ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆର ବି ସେହି ଅଞ୍ଚଳରେ ଆତଙ୍କରାଜ ଚାଲିଛି। ଏହି ମାଫିଆର ପତ୍ନୀ ଗଞ୍ଜେଇ କାରବାରରେ ସାମିଲ ରହିଛି। ଉଭୟ ଦମ୍ପତି ଅଚଳକୋଟକୁ ଏକ ପ୍ରକାର କବ୍‌ଜା କରିନେଇଛନ୍ତି। ପଙ୍କାଳ ଓ ଅଚଳକୋଟର ଏହି ମାଫିଆଙ୍କୁ ନେଇ ଅବକାରୀ ବିଭାଗର ଅନେକ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। 

କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅବକାରୀ ବିଭାଗକୁ ଏହି ଅଞ୍ଚଳରେ ଚଢ଼ଉ ପାଇଁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ଯୋଗାଇବାର ଆବଶ୍ୟକତା ରହିଛି। କିନ୍ତୁ ମାଫିଆଙ୍କ ସହିତ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ସାମ୍ରାଜ୍ୟ ବଢ଼ି ଚାଲିଥିବା ଅଭିଯୋଗ ଉଠୁଛି। ଅତୀତରେ ଅବକାରୀ ବିଭାଗ ଓ କ୍ରାଇମବ୍ରାଞ୍ଚ ସେହି ଅଞ୍ଚଳରେ ପଶି ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ ବିନା ପୁଲିସ ସହଯୋଗରେ ସେହି ଅଞ୍ଚଳରେ ପଶିବାକୁ ଅବକାରୀ ବିଭାଗର ଅଧିକାରୀମାନେ ସାହସ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe