ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

Advertisment

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ, ଦକ୍ଷ ପୁଲିସ୍‌ ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ, ଦକ୍ଷ ପୁଲିସ୍‌ ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଡିଏସ୍‌ପି ତଥା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଭିନବ ଡାଳୁଆ। ମଙ୍ଗଳବାର ଦିନ ଏକ କୋଇଲା ଟ୍ରକ୍‌ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ସେଲ୍‌ର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ଜଣେ କୋଇଲା ବ୍ୟବସାୟୀଙ୍କ ଟ୍ରକ୍‌ରେ କୋଇଲା ପରିବହନ ପାଇଁ ଥାନା ଅଧିକାରୀ ଅଭିନବ ଡାଳୁଆ ୪୫ ହଜାର ଟଙ୍କା ମାଗିଥିଲେ। ଏହି ଟଙ୍କା ନଦେଲେ କୋଇଲା ବୋଝେଇ ଟ୍ରକ୍‌ ପରିବହନ ପାଇଁ ନେଇପାରିବ ନାହିଁ ବୋଲି ଧମକ ଦେଇଥିଲେ। ସଂପୃକ୍ତ କୋଇଲା ଟ୍ରକ୍‌ ମାଲିକ ଗତ ୨୪ ତାରିଖରେ ଥାନା ଅଧିକାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହାପରେ ମଧ୍ୟ ଶ୍ରୀ ଡାଳୁଆ ଅବଶିଷ୍ଟ ଟଙ୍କା ଦେବାକୁ ବାରମ୍ବାର ତାଗିଦ୍‌ କରିବା ଫଳରେ ସେ ଏ ସଂପର୍କରେ କଟକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ସଂପୃକ୍ତ ଟ୍ରକ୍‌ ମାଲିକ ଆଜି ଦିନ ସାଢେ ୧୨ ଟା ସମୟରେ ସଦର ଥାନାରେ ପହଞ୍ଚି ଥାନା ଅଧିକାରୀ ଶ୍ରୀ ଡାଳୁଆଙ୍କୁ ବକେୟା ୩୦ ହଜାର ଟଙ୍କା ଦେଇଥିଲେ। ଏହିସମୟରେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ କାବୁ କରିବା ସହ ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ କରିଥିଲେ। ଏହାପରେ ଥାନା ଭିତରେ ରୁଦ୍ଧଦ୍ବାର ମଧ୍ୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ।

ଭିଜିଲାନ୍ସ ଏସ୍‌ପି ଏମ୍. ରାଧାକ୍ରିଷ୍ଣନ୍‌ଙ୍କ ନିର୍ଦ୍ଦେଶକ୍ରମେ ୧୧ ଜଣିଆ ଦଳ ଆଜି ଶ୍ରୀ ଡାଳୁଆଙ୍କ ସଦର ଥାନା କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ତାଙ୍କର ୨ ଜଣ ସଂପର୍କୀୟଙ୍କ ଘର, କଟକ ନରସିଂହପୁରସ୍ଥିତ ତାଙ୍କ ଜନ୍ମସ୍ଥାନ ଏବଂ ବାଲେଶ୍ବର ଜିଲ୍ଳା ମେଘଡମ୍ବୁର ସ୍ଥିତ ତାଙ୍କ ପୈତୃକ ବାସଗୃହ, କେନ୍ଦୁଝର ଜିଲ୍ଲା ଝାରବେଡ଼ା ତୁରୁମୁଙ୍ଗା ସ୍ଥିତ ଶ୍ବଶୁର ଘର, ଖୋର୍ଦ୍ଧା ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ୩୨/୩୪ ପ୍ଲଟରେ ଚଢ଼ଉ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ବର୍ଷକ ତଳେ ଦୁର୍ବୃତ୍ତମାନେ ଏକ ଏଟିଏମ୍‌ରୁ ୩୬ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଉଥିବା ବେଳେ ସଦର ଥାନା ଅଧିକାରୀ ଥିବା ଶ୍ରୀ ଡାଳୁଆ ସେମାନଙ୍କର ପିଛା କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ରାଜ୍ୟ ପୁଲିସ୍‌ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe