ଦଶରଥପୁର : ମଙ୍ଗଳପୁର ଥାନା ଝୁମ୍ପୁରି ବିଟ୍ ହାଉସ୍ ଅଧିକାରୀଙ୍କ ନାମରେ ଜଣେ ମହିଳା ଅସଦାଚରଣ ଅଭିଯୋଗ ଆଣିବା ଘଟଣାର ତଦନ୍ତ ଜାରି ରହିଛି। ଏହି ମାମଲାର ତଦନ୍ତ ଶେଷ ହେବା ଯାଏଁ ଅଭିଯୁକ୍ତ ଏସ୍ଆଇ ବିଜୟ କୁମାର ସ୍ୱାଇଁଙ୍କୁ ବିଟ ହାଉସ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ଏସ୍ପିଙ୍କ କାର୍ଯ୍ୟାଳୟରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଛି । ଅପରପକ୍ଷରେ ରବିବାର ଦିନ ଶ୍ରୀ ସ୍ୱାଇଁ ବିଟ ହାଉସ ଆସି ଚେୟାରରେ ବସିବା ସହ ଅଞ୍ଚଳରେ ବୁଲାବାଲି କରୁଥିବା ଦେଖିବାକୁ ମିଳିଛି। ତେଣୁ ଏସ୍ପିଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଦଶରଥପୁର ବ୍ଲକ୍ କଟିକଟା ଅଞ୍ଚଳର ଜଣେ ଦଳିତ ମହିଳା ଗତ ମାର୍ଚ୍ଚ ୧୬ ତାରିଖରେ ତାଙ୍କ ଘରୋଇ ଜମିଜମା ବିବାଦ ସମାଧାନ ପାଇଁ ଝୁମ୍ପୁରି ବିଟ୍ ହାଉସ୍କୁ ଯାଇଥିବା ବେଳେ ପୁଲିସ୍ ଅଧିକାରୀ ବିଜୟ ସ୍ୱାଇଁ ମହିଳାଙ୍କ ହାତ ଧରି ରୁମ୍କୁ ଟାଣିବା ସହ ଅସଦାଚରଣ କରିଥିବା ନେଇ ଯାଜପୁର ଏସ୍ପି ରାହୁଲ ପିଆର୍ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅଭିଯୋଗର ତତ୍କ୍ଷଣାତ ତଦନ୍ତ ପାଇଁ ଏସ୍ପି ବିଭାଗୀୟ ତଦନ୍ତ ଆଦେଶ ଦେବା ପରେ ଏଏସ୍ପି ବାଉରିବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ଏସ୍ଆଇଙ୍କୁ ବିଟ୍ ହାଉସ୍ ଦାୟିତ୍ବରୁ ତଦନ୍ତ ଶେଷ ପର୍ଯ୍ୟନ୍ତ ହଟାଯାଇଥିଲା। ତେବେ ପୁଲିସ୍ ଅଧିକାରୀ ଜଣକ ଆଜି ଝୁମ୍ପୁରି ବିଟ୍ ହାଉସ୍ ରହି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
Follow Us