ମହାମହିମଙ୍କ ମୟୂରଭଂଜ ଗସ୍ତ ନେଇ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି; ପୁଲିସ କଲା ମକଡ୍ରିଲ୍, କାରକେଡ୍ ରିହର୍ସାଲ୍ 

Advertisment
ମହାମହିମଙ୍କ ମୟୂରଭଂଜ ଗସ୍ତ ନେଇ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି; ପୁଲିସ କଲା ମକଡ୍ରିଲ୍, କାରକେଡ୍ ରିହର୍ସାଲ୍ 

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ମୟୂରଭଂଜରେ ଦୁଇଦିନ ବିତାଇବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ବାୟୁସେନାର ବିମାନରେ ଝାରଖଣ୍ଡର ରାଂଚିସ୍ଥିତ ବୀର ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଅପରାହ୍ନ ୨.୩୦ରେ ମୟୂରଭଂଜ ଜିଲ୍ଲା ଶୁକୃଳୀ ବ୍ଲକର ପାଣ୍ଡରଶୀଳସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ସତନ୍ତ୍ର କାରକେଡ୍‌ରେ ଖିଚିଂସ୍ଥିତ ମା’ କିଚକିଶ୍ୱରୀ ମନ୍ଦିରରେ ପୂଜା ଆରଧନା କରିବା ପରେ ପ୍ରସାଦ ସେବନ କରିବେ। ଏହା ପରେ ସେଠାରୁ ପାଣ୍ଡରଶୀଳସ୍ଥ ଅସ୍ଥାୟୀ ହେଲିପ୍ୟାଡରୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ୪.୪୫ରେ ଅବତରଣ କରିବା ପରେ ୦୫.୧୫ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡ଼ିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସତନ୍ତ୍ର ହୋଲିଡେ ହୋମ୍‌ର ଶିଳାନ୍ୟାସ କରିବେ।

ସେହି ସ୍ଥାନରୁ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଅଭାଷୀ ଜରିଆରେ ଶିଳାନ୍ୟାସ କରିବେ, ତାସହିତ ବଡସାହିସ୍ଥ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ଆଭାଷୀ ମାଧ୍ୟମରେ କରିବେ ବୋଲି ସୂଚନା ମିଳିଛି। ପରେ ସନ୍ଧ୍ୟା ୬ ଘଟିକାରେ ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ସନ୍ଧ୍ୟା ୬.୩୦ରୁ ୭ଟା ପର୍ଯ୍ୟନ୍ତ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସାକ୍ଷାତ କାର୍ଯ୍ୟକ୍ରମ ପରେ ମହୁଲଡିହାସ୍ଥ ନିଜ ବାସଭବନରେ ପରିବାର ସହିତ ରାତ୍ରଭୋଜନ କରିବା ପରେ ରାତ୍ରୀଯାପନ କରିବେ।

publive-image

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହୁଲଡିହାସ୍ଥ ସଭାସ୍ଥଳରେ ବିଶାଳ ଟେଣ୍ଟ କରାଯାଇଥିବା ବେଳେ ସୁରକ୍ଷା ନିନ୍ତେ ସଭାସ୍ଥଳର ଚାରିପଟେ ବାଉଁଶରେ ବ୍ୟାରିକଡେ୍ କରାଯାଇଛି। ସେହିପରି ମହୁଲଡିହାସ୍ଥ ତାଙ୍କବାସଭବନର କଡ଼ାସୁରକ୍ଷା ପାଇଁ ଉଭୟପାର୍ଶ୍ବରେ ବାଉଁଶର ବ୍ୟାରିକେଡ୍ କରାଯାଇଛି। ତେବେ ମହାମହିମଙ୍କ ଗସ୍ତ ସମୟରେ ବାରିପଦାଠାରେ ତାଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍‌ କାଟ୍ ହୋଇଥିବାରୁ ତାହାର ପୁନରାବୃତ୍ତି ନହେବା ପାଇଁ ସମ୍ବନ୍ଧିତ ବିଭାଗ ପକ୍ଷରୁ କିପରି ନିରବଚ୍ଛିନ ସେବା ଯୋଗାଇ ଦିଆଯିବ ଏନେଇ ପ୍ରଶାସନ ସଜାଗ ରହିଛି।

ଆଜି ମୟୂରଭଂଜ ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀଙ୍କ ନେତୃତ୍ବରେ ବ୍ରିଫିଂ ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ମକଡ୍ରିଲ୍ ଓ କାରକେଡ୍ ରିହର୍ସାଲ୍ କରାଯାଇଥିଲା। ଏଥିରେ ପୂର୍ବାଂଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ଶତାଧିକ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଥିବା ବେଳେ ରାଷ୍ଟ୍ରପତିଙ୍କ ଜନ୍ମମାଟି ଗସ୍ତ ପାଇଁ ଉତ୍ସବମୁଖର ହୋଇଉଠିଛି ରାଇରଙ୍ଗପୁର ଓ ଖିଚିଂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe