କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲାନି ମୃତ୍ୟୁର ପ୍ରକୃତ କାରଣ

Advertisment

ମୃତଦେହର ପରିଚୟ ପାଇପାରୁନି କମିସନରେଟ୍ ପୁଲିସ

ମୃତଦେହର ପରିଚୟ ପାଇପାରୁନି କମିସନରେଟ୍ ପୁଲିସ

କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲାନି ମୃତ୍ୟୁର ପ୍ରକୃତ କାରଣ

ଭୁବନେଶ୍ୱର: କୁଆଖାଇ ନଦୀପଠାରୁ ମିଳିଥିବା ଅଜଣା ଯୁବକର ମୃତଦେହ ଏବେ କମିସନରେଟ୍ ପୁଲିସ ପାଇଁ ଚିନ୍ତା ବଢ଼େଇବାରେ ଲାଗିଛି । ଉକ୍ତ ଯୁବକର ନା ମିଳୁଛି ପରିଚୟ ନା ଜଣାପଡୁଛି ମୃତ୍ୟୁର ପ୍ରକୃତ କାରଣ । ଗତକାଲି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଯାଇଥିବା ବେଳେ ଆଜି ପ୍ରାରମ୍ଭିକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ ଉକ୍ତ ଯୁବକଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ, ଓଜନ ୪୬ କେଜି ଏବଂ ଉଚ୍ଚତା ୫ ଫୁଟ ୮ ଇଞ୍ଚ।

ଏମ୍ସର ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଉକ୍ତ ଯୁବକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ।ଏପରିକି ଶରୀରରୁ ବିଷ କି କେମିକାଲର ନମୁନା ମଧ୍ୟ ମିଳିନାହିଁ। ତଣ୍ଟି ଚିପା କି ଅଣନିଶ୍ୱାସୀ କରି ମାରିବାର କୌଣସି ଚିହ୍ନ ମଧ୍ୟ ମିଳିନି। ଅନ୍ୟଲୋକର ଫିଙ୍ଗରପ୍ରିଣ୍ଟ ମଧ୍ୟ ନାହିଁ। ତେଣୁ କେଉଁଭଳି ଭାବରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି ଡାକ୍ତରୀ ଦଳ ତାହାର କାରଣ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ତେଣୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏବେ ଏକମାତ୍ର ଭରସା ହେଉଛି ଭିଷେରା ରିପୋର୍ଟ ବୋଲି ସେ କହିଛନ୍ତି ।

ସେପଟେ ଉକ୍ତ ଯୁବକ ଜଣକ କିଏ, କେଉଁଠି ତାଙ୍କ ଘର, କଣ ତାଙ୍କ ପରିଚୟ,ଏନେଇ କୌଣସି ତଥ୍ୟ ପୋଲିସକୁ ଏଯାଏଁ ହସ୍ତଗତ ହୋଇପାରିନାହିଁ। ଏ ସମସ୍ତ ତଥ୍ୟ ପାଇବା ପାଇଁ ସ୍ପେଶାଲ ସ୍କ୍ୱାଡ଼, ମଞ୍ଚେଶ୍ୱର ଥାନା ପୁଲିସ ଏବଂ କମିସନରେଟ ପୁଲିସର ନିଖୋଜ ଅଥବା ଅପହରଣ ସେଲ ଉଦ୍ୟମ ଜାରିରଖିଛନ୍ତି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକ କଟକ କି ଭୁବନେଶ୍ୱର ଅଞ୍ଚଳର ନୁହଁନ୍ତି ବୋଲି ଅନୁମାନ କରାଯାଉଛି। କାରଣ କଟକ ଓ ଭୁବନେଶ୍ୱରରେ ଏହି କିଛିଦିନ ମଧ୍ୟରେ କୌଣସି ଥାନାରେ ଏଭଳି ନିଖୋଜ ଅଥବା ଅପହରଣ ସଂପର୍କିତ ଅଭିଯୋଗ ହୋଇନାହିଁ  ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ତେଣୁ ଅନ୍ୟଜିଲ୍ଳାର ବିଭିନ୍ନ ଥାନାର ନିଖୋଜ ଅଥବା ଅପହରଣ ରିପୋର୍ଟକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ। ସେପଟେ  ଉକ୍ତ ବ୍ୟକ୍ତିଙ୍କର ଭିଷେରାକୁ ପ୍ରିଜର୍ଭ କରାଯାଇଛି ଏବଂ ତାକୁ ଷ୍ଟେଟ ଫରେନସିକ ଲାବରୋଟୋରିକୁ ପଠାଯାଇ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୁଲିସ ଉଦ୍ୟମ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe