ପୁଲିସ ହାବୁଡ଼ରେ ୬ ବେପାରୀ, ୪ ହଜାର କଫ୍‌ ସିରପ୍‌ ଜବତ

Advertisment
ପୁଲିସ ହାବୁଡ଼ରେ ୬ ବେପାରୀ, ୪ ହଜାର କଫ୍‌ ସିରପ୍‌ ଜବତ

ବଲାଙ୍ଗୀର: ବଲାଙ୍ଗୀର ‌ଜିଲ୍ଲାର ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କଫ ସିରପ୍‌ କାରବାରର ଚେର ଲମ୍ବି ଚାଲିଛି। ଦୀର୍ଘ ବର୍ଷରୁ ଏହି କାରବାର ଅନାୟାସରେ ଚାଲିଆସୁଛି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି କାରବାରର ମୁଖ୍ୟ କେବେ ମଧ୍ୟ ପୁଲିସ ହାବୁଡ଼ରେ ପଡ଼ିନାହିଁ। ଏହି କାରବାର ପଛରେ ଏକ ପ୍ରଭାବଶାଳୀ ଲୋକର ହାତଥିବାରୁ ପୁଲିସ ପ୍ରଶାସନ ତାକୁ ଧରିବାକୁ ସାହାସ ଜୁଟାଇ ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଜି କୌଣସି ସୂତ୍ରରୁ ଖବରପାଇ ବଲାଙ୍ଗୀର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବଲାଙ୍ଗୀର-ସମ୍ବଲପୁର ରାସ୍ତାର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରୁ ୪ ହଜାର ବୋତଲ କଫସିରପ ଜବତ କରିଥିବା ବେଳେ ପରିବହନ ହେଉଥିବା ଏକ ପିକଅପ୍ ଭ୍ୟାନ୍‌ ( ଓଡି-୧୭ଏସ୍‌-୧୮୯୩), ଏକ କାର୍‌ ( ଓଡି-୧୭ଡି-୦୮୮୮) ଓ ଏକ ବାଇକ୍‌ ( ଓଡି-୩୧ଏ-୭୩୯୨)କୁ ଜବତ କରିଛି। ଏଥିରେ ସଂପୃକ୍ତ ପୁଇଁନ୍ତଲା ଥାନା ଭୁର୍ସିପାଲି ଗ୍ରାମର ରଞ୍ଜନ ସ୍ବାଇଁ, ରମାକାନ୍ତ ସ୍ବାଇଁ, ପୁଇଁନ୍ତଲା ଥାନା କୁଲଥିପାଲି ଗ୍ରାମର ପଦ୍ମନାଭ ପ୍ରଧାନ, ବଲାଙ୍ଗୀର ହାତୀଶାଲପଡ଼ାର ପରମେଶ୍ବର ଖରସେଲ, ସୁବାଶିଷ ବଘାର, ଲୋଇସିଂହା ଥାନା ବୁର୍ଡା ଗ୍ରାମର ଅଭିଜିତ ସାହୁଙ୍କୁ ଗିରଫ କରାଯାଇଥିବା ବଲାଙ୍ଗୀର ଏସ୍‌ପି ଋଷିକୋ ଖିଲାରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରକାଶ ଯେ କଫ ସିରପ୍‌ ଏକ ଔଷଧ ହୋଇଥିଲେ ମଧ୍ୟ ଏହାକୁ ପାନ ଦେକାନ ଚା’ ଦୋକାନ ତଥା ବିଭିନ୍ନ ଝୁମ୍ପୁଡ଼ିରେ ବିକ୍ରି କରାଯାଉଥିବାରୁ ଯୁବସମାଜ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ମାଫିଆମାନେ କିଛି ଯୁବକଙ୍କୁ ଏହି କାରବାରରେ ଲଗାଇ ବାଇକ ଓ ସାଇକଲରେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ସ୍ଥାନକୁ ପଠାଇ ବିକ୍ରି କରୁଥିବା ଜଣାଯାଇଛି। ବରଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି ଦେଇ ଛତିଶଗଡ଼ରୁ ବିପୁଳ ପରିମାଣରେ କଫସିରପ ଏଠାକୁ ଆସୁଥିବା ବେଳେ ସାରା ଜିଲ୍ଲାକୁ ଏହା ଯୋଗାଣ ହେଉଛି। ପୁଲିସ ମଝିରେମଝିରେ କିଛିକିଛି କଫ ସିରପ୍‌ ଜବତ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରୁଥିବା ବେଳେ ଏହି କାରବାରର ମୁଖ୍ୟ ପୁଲିସ ହାତରେ ଧରାପଡ଼ୁ ନାହିଁ। ପରିବହନ ବେଳେ ପୁଲିସ ହାତରେ ଏହା ଧରାପଡ଼ୁଥିବା ବେଳେ କିଛି ଛୋଟ ଦୋକାନୀ ମଧ୍ୟ ବେଳେ ବେଳେ ଧରା ପଡ଼ୁଛନ୍ତି। ମାତ୍ର ପରଦା ପଛରେ ରହି କାରବାରକୁ ସୁନିୟନ୍ତ୍ରିତ କରୁଥିବା ମୁଖ୍ୟ ମାଫିଆ ଆଜି ପର୍ଯ୍ୟନ୍ତ ପୁଲିସ୍‌ ନଜରରେ ଆସିନଥିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe