ସଢ଼ା ଶବକୁ କାନ୍ଧ ଦେବାକୁ ଅମଙ୍ଗ, ୨ କିମି ବୋହିଲେ ପୁଲିସ ଏସ୍‌ଆଇ

ସଢ଼ା ଶବକୁ କାନ୍ଧ ଦେବାକୁ ଅମଙ୍ଗ, ୨ କିମି ବୋହିଲେ ପୁଲିସ ଏସ୍‌ଆଇ

ବାଲିଗୁଡ଼ା : ଶବ ବ୍ୟବଚ୍ଛେଦ ପାଇଁ ବୋହିବାକୁ କେହି ରାଜି ହେଲେନି। ବଡ଼ କଷ୍ଟରେ ମିଳିଲେ ତିନି ଜଣ। ଚାରିକାନ୍ଧ ନ ମିଳିଲେ ଜଙ୍ଗଲ ଭିତରୁ ଶବ ନେବା କଷ୍ଟ। ଶେଷ‌ରେ, ଆଉ ଏକ କାନ୍ଧଦେଲେ ଜଣେ ପୁଲିସ୍‌ ଏସ୍‌ଆଇ। ୨ କିଲୋମିଟର ବୋହି ମହାପ୍ରୟାଣ ଗାଡ଼ି ନିକଟକୁ ଆଣିଥିଲେ। ମୃତକଙ୍କୁ ତାଙ୍କ ବାପା ହତ୍ୟାକରି ପୋତି ଦେଇଥିଲେ ଏବଂ ପୁଲିସ୍‌ ଏସ୍‌ଆଇ ଥିଲେ ଘଟଣାର ତଦନ୍ତ ଅଧିକାରୀ।

ପୁଲିସ୍‌ ଏସ୍‌ଆଇ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ରବୀନ୍ଦ୍ର ମୁଣ୍ଡାରୀ। ମାମଲାର ତଦନ୍ତଭାର ନେଇ ଘଟଣାସ୍ଥଳକୁ ଯାଇଥିବା ଶ୍ରୀ ମୁଣ୍ଡାରୀ ମାଟିତଳୁ ନିଜେ ଶବ ଖୋଳି ବାହାର କରିଥିଲେ। ହେଲେ ପଚିସଢ଼ି ଯାଇଥିବା ଶବକୁ ଚାରିକାନ୍ଧ ଦେବା ପାଇଁ ପରିବାର କିମ୍ବା ଗାଁ ଲୋକେ ଅମଙ୍ଗ ହୋଇଥିଲେ। କେହି କାନ୍ଧ ନ ଦେବାରୁ ସେ ଶବକୁ କାନ୍ଧ ଦେବାକୁ ଆଗେଇ ଆସିବାରୁ ଆଉ ତିନି ଜଣ ବାହାରିଥିଲେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ିଆ ଅଙ୍କାବଙ୍କା ରାସ୍ତାରେ ଶବକୁ କାନ୍ଧେଇ ତଳକୁ ଆଣିବା ସହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ମହାପ୍ରୟାଣ ଗାଡ଼ି ପାଖକୁ ଆଣିଥିଲେ। ଥାନା ଅଧିକାରୀ ବାବା ଶଙ୍କର ସରାଫ ଏସ୍‌ଆଇ ଶ୍ରୀ ମୁଣ୍ଡାରୀଙ୍କୁ ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବାଲିଗୁଡ଼ା ବ୍ଲକ୍‌ ପରମପାଙ୍ଗା ପଂଚାୟତର ପାଙ୍ଗୁରୁମିଲା ଗାଁରେ।ବାପା ଭୁସ୍କର ପୂଜାରୀ ନିଜ ପୁଅ ଚୈତନ୍ୟ ପୂଜାରୀଙ୍କୁ ହତ୍ୟା କରି ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନଂ ୧୬୫/୨୧ ରୁଜୁ କରିବା ସହ ଅଭିଯୁକ୍ତ ବାପା ଭୁସ୍କରକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe