କୋଭିଡ୍‌ କଟକଣାକୁ ନେଇ ପୁଲିସର ସ୍ପେସାଲ ଡ୍ରାଇଭ୍‌

୨୪ ଘଣ୍ଟାରେ ୨୪ ଲକ୍ଷ ଜରିମାନା, ୨୭ ଗିରଫ

କୋଭିଡ୍‌ କଟକଣାକୁ ନେଇ ପୁଲିସର ସ୍ପେସାଲ ଡ୍ରାଇଭ୍‌

ଭୁବନେଶ୍ବର : କୋଭିଡ୍‌ କଟକଣାକୁ ନେଇ କଠୋର ହୋଇଛି ଓଡ଼ିଶା ପୁଲିସ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୨୪ ଲକ୍ଷ ୯୧ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରିଛି। ଏଥିରେ ସମ୍ପୃକ୍ତ ୨୭ ଜଣ ଅମାନିଆଙ୍କୁ ଗିରଫ କରାଯାଇଥିବା ବେଳେ ୮୭୦ ଗାଡ଼ି ଜବତ ହୋଇଛି। ଗତ କାଲି ୨୭ ଲକ୍ଷ ଆଦାୟ ହୋଇଥିବା ବେଳେ ଆଜି ଅମାନିଆଙ୍କ ସଂଖ୍ୟା କମିଥିବା ପୁଲିସ କହିଛି। ଦୀର୍ଘ ୧୦ ଦିନ ଧରି ଏଭଳି କଟକଣା ବଳବତ୍ତର ରହିବ। ଅମାନିଆ ନ ସୁଧୁରିଲେ କଟକଣା ଅବଧି ବଢ଼ାଇବା ପାଇଁ ଚିନ୍ତା କରାଯିବ ବୋଲି ଜଣାପଡ଼ିଛି।

ଗତକାଲି ଭଳି ଆଜି ମଧ୍ୟ ସମଗ୍ର ରାଜ୍ୟରେ ଧରପଗଡ଼ ଜୋରଦାର ରହିଛି। ପ୍ରତ୍ୟେକ ଜିଲ୍ଲାର ଏସ୍‌ପି ଓ କମିସନରେଟ୍‌ ପୁଲିସର କମିସନରଙ୍କ ଜରିଆରେ ଏହି ଚଢ଼ଉ ଜାରି ରହିଛି। ହାଟ-ବଜାର, ମଲ, ଶିକ୍ଷାନୁଷ୍ଠାନ ଓ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ପୁଲିସର ସ୍ବତନ୍ତ୍ର ନଜର ରହିଛି। ଏସ୍‌ପିମାନେ ଏଡିଜି (ଆଇନ ଶୃଙ୍ଖଳା)ଙ୍କୁ ରିପୋର୍ଟ କରୁଥିବା ବେଳେ ଡିଜି ପ୍ରତ୍ୟେକ ଦିନ ସ୍ଥିତିର ସମୀକ୍ଷା କରୁଛନ୍ତି।

ଏ ନେଇ ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି; କଟକଣା, ଜରିମାନା ପର କଥା। କିନ୍ତୁ ଲୋକମାନେ ସଚେତନ ହୁଅନ୍ତୁ। କେବଳ କାର୍ଯ୍ୟାନୁଷ୍ଠାନ ଭୟରେ ନୁହେଁ, ବରଂ କରୋନା ମୁକାବିଲା ପାଇଁ କଟକଣା ପାଳନରେ ଲୋକମାନଙ୍କର ସହଯୋଗ ନିତ୍ୟାନ୍ତ ଜରୁରୀ। ଗତକାଲିଠାରୁ ଆଜି ଲୋକମାନଙ୍କର ଅଧିକ ସହଯୋଗ ରହିଛି। ଆଗକୁ ଏଭଳି ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe