ଲକଡାଉନ୍ କଟକଣା ଉଲଂଘନକାରୀ ଅମାନିଆଙ୍କୁ ବାନ୍ଧ: ସ୍ବରାଷ୍ଟ୍ର ସଚିବ

ମାନୁନାହାନ୍ତି କଟକଣା : ୩ ଦିନରେ ଧରାହେଲାଣି ୧୩ଶହ, ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ ବାଇକ୍‌ ଜବତ

ଭୁବନେଶ୍ବର : ‘ଲକଡାଉନ୍ ବା ତାଲାବନ୍ଦ ସମୟରେ କେନ୍ଦ୍ର ସରକାର ଜାରି କରିଥିବା କଟକଣାରେ କୌଣସି ପ୍ରକାର ଢିଲାପଣକୁ ବରଦାସ୍ତ କରାଯିବନି। ଯେଉଁମାନେ ଏହାକୁ ଉଲଂଘନ କରି ଆଇନ ଅମାନ୍ୟ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କର।' କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ଆଜି ପୁଣି ଥରେ ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଏପରି ଚେତାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଅମାନିଆ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲାପାଳ ଓ ପୁଲିସ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବାକୁ ଶ୍ରୀ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ଘୋର ଅସନ୍ତୋଷ ପ୍ରକାଶ କରି ଶ୍ରୀ ଭଲ୍ଲା କହିଛନ୍ତି ଯେ ତାଲା ବନ୍ଦ ସମୟରେ ଲୋକମାନେ ଘରେ ରହିବାକୁ ଗତ ୨୪ ତାରିଖରେ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ଏହାର ନକଲ ସବୁ ରାଜ୍ୟସରକାରମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ଲୋକମାନେ ବଜାର, ଛକ ମାର୍କେଟ୍‌ରେ ବୁଲିବା ନଜରକୁ ଆସିଛି। ଏପରିକି ସାମାଜିକ ଦୂରତା ରକ୍ଷା ପାଇଁ ଥିବା ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉନାହିଁ। ଗତକାଲି ତାଲାବନ୍ଦ ସଂକ୍ରାନ୍ତ ଏକ ରିଟ୍‌ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବିପର୍ଯ୍ୟୟ ପରିଚାଳନା ଆଇନ ଓ ଆଇପିସି ଅନୁଯାୟୀ ବେପରୁଆ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 'ସମସ୍ତ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ଦେଶର ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ବିଶ୍ବାସ ଅଛି।' ଅନ୍ୟପଟେ ଉଲଂଘନକାରୀଙ୍କ ବିରୁଦ୍ଧରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ସହିତ ଆଇପିସିର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶାବଳୀର ନକଲ ପ୍ରତ୍ୟେକ ରାଜ୍ୟକୁ ଇଂରାଜି ଓ ଆଞ୍ଚଳିକ ଭାଷାରେ ପ୍ରଦାନ କରାଯାଇଥିବା ସ୍ବରାଷ୍ଟ୍ର ସଚିବ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe