ତାତିଲେ ପୁଲିସ : ଶୁକ୍ରବାର କାର୍ଯ୍ୟବନ୍ଦ

Advertisment

ହାବିଲଦାର, କନେଷ୍ଟବଳ, ସିପାହୀ ମହାସଂଘକୁ ସମର୍ଥନ

ହାବିଲଦାର, କନେଷ୍ଟବଳ, ସିପାହୀ ମହାସଂଘକୁ ସମର୍ଥନ

ତାତିଲେ ପୁଲିସ : ଶୁକ୍ରବାର କାର୍ଯ୍ୟବନ୍ଦ

ଭୁବନେଶ୍ୱର : ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ପୁଲିସ ସମନ୍ବୟ ସମିତି। ୪ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସହ ହାତ ମିଶାଇଛି ଓପିଏ ଓ ଓପିଏସ୍‌ ସଂଘ। ରାତି ସୁଦ୍ଧା ଦାବି ପୂରଣ ନ ହେଲେ ଆସନ୍ତାକାଲି କଳାବ୍ୟାଜ୍‌ ପରିଧାନ କରିବେ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପୂରଣ ନ ହେଲେ ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ର ସହ ପୋଷାକ ଓ ଗାଡ଼ିଚାବି ହସ୍ତାନ୍ତର କରିବେ। ଶୁକ୍ରବାର ସକାଳୁ ପାଖାପାଖି ୭୨ହଜାର କର୍ମଚାରୀ ସମୂହ ଛୁଟିରେ ଯିବେ। ଆଜି ସହିଦ୍‌ ନଗର ଫାଣ୍ଡି‌ରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡ଼ା ଚେତାବନୀ ଦେଇଛି ଓଡ଼ିଶା ପୁଲିସ ସମନ୍ବୟ ସମିତି। ଓପିଏସ୍‌ଏ ସଭାପତି ଅଶୋକ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପି.କେ ଦାସ, ଓପିଏ ସଭାପତି ସତ୍ୟଜିତ ମିଶ୍ର, ଉପସଭାପତି କ୍ଷିତୀଶ ତ୍ରିପାଠୀ, ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସଭାପତି ସନ୍ତୋଷ ଶତପଥୀ, ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା ପ୍ରମୁଖ ଏହି ଚେତାବନୀ ଦେଇଛନ୍ତି। ପୂର୍ବରୁ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ୪ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଅନେକଥର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା।

ଏଣୁ ଆନ୍ଦୋଳନ ଏକପ୍ରକାର ନିଶ୍ଚିତ ହୋଇଥିଲା। ଏବେ ଅଧିକାରୀମାନଙ୍କର ସଂଘ ଏହି ସଂଘ ସହ ମିଶିଥିବାରୁ ସମୂହ ଛୁଟିରେ ଗଲେ ଆଇନଶୃଙ୍ଖଳାକୁ ନେଇ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃ‌ଷ୍ଟି ହେବା ଆଶଙ୍କା ରହିଛି।

୬ ଦଫା ଦାବିଗୁଡ଼ିକ ହେଲା; ବିଭିନ୍ନ ଛୁଟି ଦିନରେ ଓ ଜୀବନକୁ ବିପନ୍ନ କରି ଖଟୁଥିବାରୁ ଭତ୍ତା ଆକାରରେ ବର୍ଷକୁ ଏକମାସର ଅତିରିକ୍ତ ଦରମା, ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟରଙ୍କୁ ୬ଷ୍ଠ ଓ ସପ୍ତମ ବେତନ ଲାଗୁ, କ୍ୟାସ୍‌ଲେସ୍‌ ହେଲ୍ଥ କାର୍ଡ ଜରିଆରେ ଅତି କମ୍‌ରେ ୫ଲକ୍ଷର ସହାୟତା, ଆରସିଏମ୍‌ ବଦଳରେ ୧୨ଶହ ମେଡିକାଲ ଭତ୍ତା, ମୋଟର ସାଇକେଲ ଭତ୍ତା ୭୫୦ରୁ ୧୫ଶହକୁ ବୃଦ୍ଧି, ଠିକା କର୍ମଚାରୀଙ୍କୁ ସମସ୍ତ ଭତ୍ତାରେ ସାମିଲ କରିବା, ଡିଏସ୍‌ପି ପାଇଁ ସିଧାସଳଖ ନିଯୁକ୍ତି ଦାବି ପ୍ରମୁଖ ରହିଛି। ପୂର୍ବରୁ ହାବିଳଦାର, କନେଷ୍ଟବଳ ସିପାହୀ ମହାସଂଘ ଶୁକ୍ରବାରଠାରୁ ସମୂହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲା। ୫୦ଟି ଶାଖା ସଂଘର ପାଖାପାଖି ୬୨ହଜାର କର୍ମଚାରୀ ସାମିଲ ଥିଲେ। ଏବେ ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟର ସାମିଲ ହୋଇଥିବାରୁ ଏହି ସଂଖ୍ୟା ୭୨ହଜାରରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe