ପୁଲିସ ଗାଡ଼ି ଧକ୍କାରେ ଜିଆରଏସ୍‌ ମୃତ, ୩ ପୁଲିସ ଅଧିକାରୀ ଆହତ

ପୁଲିସ ଗାଡ଼ି ଧକ୍କାରେ ଜିଆରଏସ୍‌ ମୃତ, ୩ ପୁଲିସ ଅଧିକାରୀ ଆହତ

ମାଲକାନଗିରି/ମାଥିଲି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସ୍‌ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ମାଥିଲି ଥାନାର ଆଇଆଇସି ରଘୁନନ୍ଦନ ମାଝି, ଏସଆଇ କୃତିବାସ ବେହେରା, ଏଏସ୍‌ଆଇ ନରେନ୍ଦ୍ର ଭତ୍ରାଙ୍କ ସମେତ ଅନ୍ୟ କର୍ମଚାରୀମାନେ କୌଣସି କାମରେ ଏକ ବଲେରୋ ଗାଡ଼ିରେ ମାଲକାନଗିରି ଅଭିମୁଖେ ବାହାରିଥିଲେ। ମାଥିଲିଠାରୁ ମାତ୍ର ୬ କିମି ଦୂର ପାଙ୍ଗାମ ନିକଟ ଜାତୀୟ ରାଜପଥ ୩୨୬ରେ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ନାୟକଗୁଡ଼ା ପଞ୍ଚାୟତର ଜିଆରଏସ ବାଲରାଜୁ ସାହୁ(୨୫)ଙ୍କୁ ଧକ୍କା ଦେଇଥିଲା ବଲେରୋ। ଫଳରେ ବାଲରାଜୁ ପ୍ରାୟ ୧୫ ଫୁଟ ଉପରକୁ ଉଡି ତଳେ କଚାଡ଼ି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଦୁର୍ଘଟଣା ପରେ ନିୟନ୍ତ୍ରଣ ହରାଇ ବଲେରୋଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଫଳରେ ଗାଡ଼ି ଭିତରେ ବସିଥିବା ତିନି ପୁଲିସ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ମାଥିଲି ମେଡିକାଲ ଆଣି ଚିକିତ୍ସା କରାଯାଇଥିବା ବେଳେ ଏସଆଇ କୃତିବାସ ବେହେରା ଓ ନରେନ୍ଦ୍ର ଭତ୍ରା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ମାଥିଲି ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁଲିସ ଗାଡ଼ି କ୍ଷୀପ୍ର ଗତିରେ ଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ମାଥିଲି ଥାନାରେ ଏତଲା ଦାୟର ହୋଇଥିବା ଜଣାପଡ଼ିଛି। ପୁଲିସ ବାଲରାଜୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାଲରାଜୁଙ୍କ ଅକାଳ ବିୟୋଗରେ ଜିଆରଏସ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe