public.app
ଚଣ୍ଡିଖୋଲ : ବହୁ ଚର୍ଚ୍ଚିତ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତ ମାତାମଠ ନିକଟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଗାଡ଼ି ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ବସନ୍ତରାଜ ସାମଲ ଓରଫ ମିଟୁଙ୍କୁ କୋର୍ଟଚାଲାଣ କରାଯାଇଛି। ଭରତପୁର ସରପଞ୍ଚ ସରସ୍ୱତୀ ବେହେରାଙ୍କ ସ୍ୱାମୀ ତଥା ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁ ଗୁରୁବାର ଦିନ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ପୁଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଚଣ୍ଡିଖୋଲ ଜେଏମ୍ଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ଯୋଗୁଁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇଥିଲେ ମଧ୍ୟ ମିଟୁଙ୍କୁ ଗିରଫ କରିବା ପାଇଁ ପୁଲିସ ଚଣ୍ଡିଖୋଲ କୋର୍ଟ ସାମ୍ନାରେ ଜାଲ ବିଛାଇଥିଲା। ଫଳରେ ସେ ଆତ୍ମସମର୍ପଣ କରିପାରିନଥିଲା। ତାଙ୍କୁ ଗିରଫ କରିବା ପାଇଁ ବିଭନ୍ନ ସ୍ଥାନରେ ଚଢ଼ଉ କରି ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।
ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୬ ତାରିଖରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ପତିଆରା ବୃଦ୍ଧି ପାଇଁ ଭରତପୁର ପଞ୍ଚାୟତ ଅନ୍ତର୍ଗତ ମାତାମଠ ନିକଟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ସମୟରେ ସେଠାରେ ଠିଆ ହୋଇଥିବା ଦୁଇଟି ପୁଲିସ ଗାଡ଼ିକୁ ଗୋଟିଏ ଗୋଷ୍ଠୀର ମୁଖ୍ୟ କୁହାଯାଉଥିବା ବସନ୍ତରାଜ ସାମଲଙ୍କ ନିର୍ଦେଶରେ ନିଆଁ ଲଗାଇ ଦିଆଯାଇଥିଲା। ଘଟଣା ପରଠାରୁ ମିଟୁ ଫେରାର ହୋଇଯାଇଥିଲା। ଫେରାର ଥିବା ସମୟରେ ମିଟୁ ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ଆଣିବାରେ ମଧ୍ୟ ସଫଳ ହୋଇଥିଲା। ହେଲେ ଚଣ୍ଡିଖୋଲ କୋର୍ଟ ସାମ୍ନାରେ ମିଟୁଙ୍କୁ ଗିରଫ ପାଇଁ ପୁଲିସ ପଇଁତରା ମାରିବା ଯୋଗୁଁ ସେ ଆସିନଥିଲା। ଗୁରୁବାର ଦିନ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା।
Follow Us