ପିକନିକ୍ ସ୍ପଟ୍‌ରେ ମଦୁଆ ଡ୍ରାଇଭରଙ୍କୁ ଜଗିବେ ପୁଲିସ: ମାସେ ବ୍ୟାପି ବ୍ୟାପକ ସଚେତନତା ଓ ଚଢ଼ଉ ହେବ

ଆଜିଠାରୁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହେଉଥିବାରୁ ରାଜ୍ୟ ସରକାରଙ୍କ ବାର୍ତ୍ତା ରହିଛି ‘ସଡ଼କ ସୁରକ୍ଷା, ପରିବାର ରକ୍ଷା’, ‘ସୁରକ୍ଷିତ ଭାବେ ଘରକୁ ଫେରିବା’।

sasss

The Indian Express

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହେଉଥିବାରୁ ରାଜ୍ୟ ସରକାରଙ୍କ ବାର୍ତ୍ତା ରହିଛି ‘ସଡ଼କ ସୁରକ୍ଷା, ପରିବାର ରକ୍ଷା’, ‘ସୁରକ୍ଷିତ ଭାବେ ଘରକୁ ଫେରିବା’। ଏହାକୁ ସଫଳ କରିବା ପାଇଁ ଚଳିତ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ା ଚେକିଂ ସହ ଚଢ଼ଉ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏବେ ପିକନିକ୍ ପାଇଁ ଲୋକମାନେ ବିଭିନ୍ନ ସ୍ଥାନକୁ ଯାଉଥିବାବେଳେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପିକନିକ୍‌ ସ୍ପଟ୍ ଏବଂ ଦର୍ଶନୀୟସ୍ଥଳୀରେ ଚେକିଂ ଜୋରଦାର୍ ହେବ। ପିକନିକ୍ ସ୍ଥାନରେ ଓ ଦର୍ଶନୀୟ ସ୍ଥାନରେ ଏନ୍‌ଫୋର୍ସମେଣ୍ଟ ଦଳ ମୁତୟନ ରହିବେ। ଗୁରୁତ୍ୱପୂର୍ଣ୍ଣ ପିକ୍‌ନିକ୍‌ ସ୍ପଟ୍ ଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ମଦୁଆ ଡ୍ରାଇଭରମାନଙ୍କ ପ୍ରତି ନଜର ରଖିବାକୁ ପୁଲିସ ମୁତୟନ ହେବେ।

ସଡ଼କ ସୁରକ୍ଷା ମାସ ପାଳନ ନେଇ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସରକାର ସ୍ଥିର କରିଛନ୍ତି ଯେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।  ଏଥିପାଇଁ ସ୍ବତନ୍ତ୍ର ଅଭିଯାନରେ ଚଢ଼ଉ ଓ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ବେଆଇନ ଭାବେ ରାଜପଥରେ ପାର୍କିଂ କରିଥିବା ଗାଡ଼ିକୁ ତୁରନ୍ତ ହଟାଯିବ। ସଡ଼କ ନିର୍ମାଣରେ ଯେଉଁଠି ତ୍ରୁଟି ଥିବାରୁ ଦୁର୍ଘଟଣା ହେଉଛି ସେଠାରେ ରାସ୍ତା ଡିଜାଇନ୍ ବଦଳିବ। ବ୍ଲାକ ସ୍ପଟ୍‌କୁ  ଚିହ୍ନଟ କରି ଏହାର ପ୍ରତିକାର କରିବା ଓ ସଚେତନତା ବଢ଼ାଇବା, ସଡ଼କ ଦୁର୍ଘଟଣା ସଂପର୍କରେ ଡିଜିଟାଲ ପ୍ରଚାର ମାଧ୍ୟମରେ ସଚେତନତା, ସଡ଼କ ସୁରକ୍ଷା ପାଇଁ ଏନ୍‌ସିସି, ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ମୁଖ୍ୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଭୋଜନାଳୟ ବା ଢାବା ନିକଟରେ ଚାଳକଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିରର ଆୟୋଜନ, ଦୁର୍ଘଟଣା ପରେ ତୁରନ୍ତ ସାହାଯ୍ୟ କରୁଥିବା ‘ରକ୍ଷକ’ମାନଙ୍କ ଦ୍ୱାରା ସଚେତନତା ଅଭିଯାନ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା  ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦିଆଯାଇଥିଲା। 

ବୈଠକରୁ ଜଣାପଡ଼ିଛି ଯେ ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୪୭ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ପ୍ରତିବର୍ଷ ପାଖାପାଖି ୫ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ପୃଥିବୀରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ସଂଖ୍ୟା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟାଠାରୁ ଅଧିକ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା, ମାଦକ ଦ୍ରବ୍ୟ ସେବନ,  ଭୁଲ୍‌ ରାସ୍ତାରେ ଏବଂ ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିବାବେଳେ ସେମାନଙ୍କୁ ସଡ଼କ ସୁରକ୍ଷା ସଚେତନତା‌ ନେଇ କି କି ପଦକ୍ଷେପ ନେବାକୁ ହେବ ତାହା କୁହାଯାଇଥିଲା। ବୈଠକରେ ପୁଲିସ ଡିଜି ୱାଇ.ବି ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌, ପରିବହନ କମିସନର ଅମିତାଭ ଠାକୁରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe