ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍‌ ପିନ୍ଧିବ ପିପିଇ

Advertisment
ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍‌ ପିନ୍ଧିବ ପିପିଇ

କଟକ : ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଅଫିସର ପିନ୍ଧିବେ ପିପିଇ (ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) କିଟ୍। ବିଭିନ୍ନ ମାମଲାରେ ଚଢ଼ାଉରେ ଯାଉଥିବା ପୁଲିସ ଅଫିସର କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଥାନାକୁ ୫ଟି ଲେଖାଏ ପିପିଇ କିଟ୍ ଦିଆଯାଇଛି। ରାଜ୍ୟରେ ୨୩ରୁ ଅଧିକ ଫିଲ୍ଡସ୍ତରୀୟ ପୁଲିସ ଅଫିସର କରୋନା ପଜିଟିଭ୍ ଚିହ୍ନଟ ପରେ ପୁଲିସ ଅଫିସରଙ୍କ ଭିତରେ ଆତଙ୍କ ଖେଳିଗଲାଣି। ଦୁର୍ବୃତ୍ତଙ୍କୁ ଧରିବା ଓ ଥାନାକୁ ଆଣିବାରେ ଅଫିସରମାନେ ଭୟ କଲେଣି। ଏଥିପାଇଁ କମିସନରେଟ୍ ପୁଲିସ ଦୁର୍ବୃତ୍ତଙ୍କ ସଂସ୍ପର୍ଶରେ ଆସୁଥିବାରୁ ଅଫିସରଙ୍କୁ ପିପିଇ କିଟ୍ ଏବଂ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

publive-image The Hindu

ସୂଚନା ଅନୁଯାୟୀ, ଗଲା ମେ ୧୯ ତାରିଖରେ ଭୁବନେଶ୍ବର କମିସନରେଟ୍ ପୁଲିସରେ ପ୍ରଥମଥର ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ଏସଡିପିଓ ଓ ଆଇଆଇସିଙ୍କୁ ମିଶାଇ ପାଖାପାଖି ୨୨ ଜଣଙ୍କ ଠାରେ କରୋନା ଚିହ୍ନଟ ହେଲାଣି। ମାଲକାନଗିରିର ଜଣେ ଅଫିସରଙ୍କୁ କରୋନା ହୋଇଛି। ପୁରୀ ଜିଲ୍ଲାରେ ଦୁର୍ବୃତ୍ତଙ୍କୁ ଧରିବା ପରେ ଦୁଇ କରୋନା ପଜିଟିଭ୍ ପୁଲିସ ଅଫିସରଙ୍କୁ ସଂଗରୋଧରେ ପଠାଇବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମେ ୧୭ ତାରିଖରେ ପୁରୀ କୁମ୍ଭାରପଡ଼ା ଥାନା ପୁଲିସ ଯେଉଁ ଦୁର୍ବୃତ୍ତଙ୍କୁ ଧରିଥିଲା ତାର କରୋନା ପଜିଟିଭ୍ ଚିହ୍ନଟ ପରେ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ୩୦ ଜଣଙ୍କୁ ସଂଗରୋଧରେ ପଠାଇ ଦିଆଯାଇଛି। ପୁଣି ଗଲା ୧୩ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ କରୋନା ପଜିଟିଭ ଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିବା ପରେ ୧୩ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସଂଗରୋଧରେ ପଠାଇ ଦିଆଯାଇଛି। ଏଭଳି ସ୍ଥିତିରେ କଟକ କମିସନରେଟ୍ ପୁଲିସରେ କଟକଣା ବଢ଼ାଇ ଦିଆଯାଇଛି। ଟ୍ରାଫିକ୍ ଥାନା ବାଦ୍ ୧୮ଟି ପୁଲିସ ଥାନାକୁ ୫ଟି ଲେଖାଏ ପିପିଇ କିଟ୍ ବଣ୍ଟନ କରାଯାଇଛି। ଅଭିଯୁକ୍ତଙ୍କ ଘରକୁ ଚଢ଼ାଉରେ ଯାଉଥିବା ପୁଲିସ ଅଫିସର ଓ କର୍ମଚାରୀ ଏହି କିଟ୍ ପିନ୍ଧିବେ। ପିସିଆର୍ ଭ୍ୟାନ୍ ଡ୍ରାଇଭରଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତେ କିଟ୍ ପିନ୍ଧିବେ। ଦୁର୍ବୃତ୍ତଙ୍କୁ ଧରି ଥାନାକୁ ଆଣିବା ପରେ ପ୍ରଥମେ ହାତ ଓ ଗୋଡ଼କୁ ଭଲ ଭାବେ ଧୁଆଇବେ। ଅଭିଯୁକ୍ତଙ୍କୁ ବି ମାସ୍କ ପିନ୍ଧିବାକୁ ଦେବେ। ଥାନାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିଯୁକ୍ତଙ୍କୁ ବସାଇବା ସହିତ ତୁରନ୍ତ କାଗଜପତ୍ର କାମ ଶେଷ କରି କୋର୍ଟ ଚାଲାଣ କରିବେ। ଏବେ କୋର୍ଟ ସକାଳ ୯ଟାରୁ ୧୧ଟା କୋର୍ଟ ଚାଲୁଥିବାରୁ ସେହି ସମୟ ମଧ୍ୟରେ କୋର୍ଟ ଚାଲାଣ କରାଯାଉଛି। ୧୭ ତାରିଖଠାରୁ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ କୋର୍ଟ ଚାଲିବ। ଏହି ସମୟ ମଧ୍ୟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ। ତେବେ ଏଥିପ୍ରତି ପୁଲିସ ଅଧିକାରୀମାନେ ଅଧିକ ସତର୍କ ରହିବେ। ଅଭିଯୁକ୍ତଙ୍କ ସହ ଥିବା ସମୟରେ ଅଫିସର ଏବଂ କର୍ମଚାରୀ ମାସ୍କ, ଗ୍ଲୋବ୍ସ୍‌ ପିନ୍ଧିବା ସହିତ ବାରମ୍ବାର ହାତ ବିଶୋଧନ କରାଯିବ।

ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି ଯେ ସମସ୍ତ ଥାନାକୁ ୫ଟି ଲେଖାଏ ପିପିଇ କିଟ୍ ଦିଆଯାଇଥିବା ବେଳେ ଦୁର୍ବୃତ୍ତଙ୍କୁ ପୁଲିସ ଅଫିସର ମାସ୍କ ପିନ୍ଧାଇବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣକୁ ରୋକିବାକୁ ଥାନା ଗାଡ଼ି ଏବଂ ଥାନା ଭିତର ନିୟମିତ ବିଶୋଧନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe