ହେମଗିର ଗଳିତ ଶବ ଉଦ୍ଧାର ଘଟଣା: ଘଟଣାସ୍ଥଳକୁ ପୁଣି ଗଲା ପୁଲିସ, ସନ୍ଦିଗ୍ଧ ପ୍ଲାଷ୍ଟିକ୍ ମଶିଣାରୁ ମିଳିଲା ଅନେକ ତଥ୍ୟ

Advertisment
ହେମଗିର ଗଳିତ ଶବ ଉଦ୍ଧାର ଘଟଣା: ଘଟଣାସ୍ଥଳକୁ ପୁଣି ଗଲା ପୁଲିସ, ସନ୍ଦିଗ୍ଧ ପ୍ଲାଷ୍ଟିକ୍ ମଶିଣାରୁ ମିଳିଲା ଅନେକ ତଥ୍ୟ

ସୁନ୍ଦରଗଡ଼/ହେମଗିର: ଗତ ୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା କନିକା ଜୁଲୁମବାହାଲ ମୁଖ୍ୟ ରାସ୍ତା ବଡ଼ଘୁମୁଡ଼ା ରେଲୱେ ଫାଟକ ସଂଲଗ୍ନ ସିଙ୍ଗାରିବାହାଲ ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ ପ୍ରବାହିତ ଜାମଝରିଆ ନାଳ କଡ଼ ଏକ ଗଛରେ ରହସ୍ୟମୟ ଭାବେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା। ଶୁକ୍ରବାର ସେହି ସ୍ଥାନ ଠାରୁ ମାତ୍ର ଶହେ ମିଟର ଦୂରରେ ପୋତା ଯାଇଥିବା ସନ୍ଦିଗ୍ଧ ପ୍ଲାଷ୍ଟିକ ମଶିଣା ପୁଟୁଳିରୁ ହାତ, ଗୋଡ଼ର ହାଡ଼ ଓ କିଛି ପଞ୍ଜରା ହାଡ଼ ସହ ଚୁଡ଼ି, ପାଉଁଜି ମିଳିଛି। ୪ ତାରିଖରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ ତାକୁ ବ୍ୟବଚ୍ଛେଦ କରି ସେଠାରେ ପୋତି ଅନତି ଦୂରରେ ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗ ଦ୍ଵାରା ଖୋଳା ଯାଇଥିବା ଗାତରେ ପଡ଼ିଥିବା ମଣିଷ ଖପୁରି ଓ ସନ୍ଦିଗ୍ଧ ଭାବେ ପୋତାଯାଇଥିବା ମଶିଣାକୁ ନଜରଅନ୍ଦାଜ କରି ଦେଇଥିଲା ପୁଲିସ। ଝୁଲନ୍ତା ଶବ ଚିହ୍ନଟ ହୋଇ ନଥିବାରୁ ଖପୁରି ଓ ପୋତା ମଶିଣାକୁ ଖୋଳି ଅଧିକ ଅନୁସନ୍ଧାନ କରିବା ପରିବର୍ତ୍ତେ ତାକୁ ଛାଡ଼ି ଚାଲି ଆସିବାକୁ ନେଇ ପ୍ରଶ୍ନ ଉଠିଥିଲା।

ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶୁକ୍ରବାର ଅପରାହ୍ନରେ ପୁଲିସ ସାଇଣ୍ଟିଫିକ ସହ ଘଟଣାସ୍ଥଳକୁ ଯାଇ ଜେସିବି ଯୋଗେ ଖୋଳି ଏସବୁ ସନ୍ଦିଗ୍ଧ ଜିନିଷ ସବୁ ପାଇଛି। ପାଉଁଜି ଓ ଚୁଡ଼ି ମିଳିଥିବାରୁ ହାଡ଼ଗୁଡ଼ିକ ମହିଳାଙ୍କ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଅତି ରହସ୍ୟଜନକ ଭାବେ ଗାତରେ ପଡ଼ିଥିବା ଖପୁରି ସେଠାରୁ ଉଭାନ ହୋଇଯାଇଛି। ପୁଲିସ ବି ଏ ସମ୍ପର୍କରେ ଅଜ୍ଞ ଥିବା ପ୍ରକାଶ କରିଛି। ଯାହା ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଛି।

ଗତ ୪ ତାରିଖ ସକାଳେ ଜାମଝରିଆ ନାଳ କଡ଼ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ଗଳିତ ଶବ ସହ ସହ ସେଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଗାତରେ ମଣିଷ ଖପୁରି ଓ ସନ୍ଦିଗ୍ଧ ଅବସ୍ଥାରେ ପୋତା ଯାଇଥିବା ପ୍ଲାଷ୍ଟିକ ମଶିଣା ପୁଟୁଳିକୁ ଲୋକେ ଦେଖିଥିଲେ। ଖପୁରିର ଆକାରରୁ ତାହା ୮/୧୦ ବର୍ଷର ଶିଶୁର ବୋଲି ପ୍ରତ୍ୟକ୍ଷଦର୍ଶୀ ଅନୁମାନ କରିଥିଲେ। ଖବର ପାଇ ହେମଗିର ପୁଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍ ସହ ଯାଇ ଝୁଲନ୍ତା ଶବକୁ ଉଦ୍ଧାର କରି ସେଠାରେ ବ୍ୟବଚ୍ଛେଦ କରାଇ ପୋତି ଦେଇ ଚାଲି ଆସିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ମନେ ହେଉଥିବାରୁ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରି ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଜରୁରି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe