ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜନୈତିକ ଉଷ୍ଣତା, ବିରୋଧ ପାଇଁ ବିରୋଧିଙ୍କ ପ୍ରସ୍ତୁତି

Advertisment
ସମବାୟ ନିର୍ବାଚନରେ ପଞ୍ଚାୟତ, ପୌର ସଫଳତା ଦୋହରାଇବାକୁ ଉଦ୍ୟମ

ବିଜେପୁର : ଆସନ୍ତା ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଗସ୍ତ କରିବେ। ଯାହାକୁ ନେଇ ବିଜେପୁର ଅଂଚଳରେ ରାଜନୈତିକ ଉଷ୍ଣତା ବଢ଼ିଛି। ଏପରିକି ଏହି ଉଷ୍ଣତା ଜିଲ୍ଲାର ବିଭିନ୍ନ ଅଂଚଳକୁ ବି ସଂପ୍ରସାରିତ ହେଉଛି। ଏହି ଗସ୍ତକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ସ୍ଥିତି ଉପୁଜିଛି। କାରଣ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେଡି ପାଇଁ ବହୁ ଗୁରୁତ୍ବ ରଖୁଛି। କାରଣ ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ।

ମନ୍ତ୍ରୀ ସୁଶାନ୍ତ ସିଂ, ବିଜେପୁର ବିଧାୟିକା ରୀତା ସାହୁ, ଢେଙ୍କାନାଳ ବିଧାୟକ ସୁଧିର ସାମଲ ବିଜେପୁର ଠାରେ ଉପସ୍ଥିତ ରହି ସମାବେଶସ୍ଥଳୀ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି। ଦଳୀୟ କର୍ମୀ ଗାଁ ଗାଁ ଯାଇ ଲୋକଙ୍କୁ ଆପ୍ୟାୟିତ କରିବା ସହିତ ସଭାକୁ ସଫଳ କରିବା ପାଇଁ ଦିନରାତି ଉଦ୍ୟମ କରୁଛନ୍ତି। ୨୦ ପ୍ଲାଟୁନ ଫୋର୍ସ, ୧୦ ଜଣ ଡିଏସ୍‌ପି, ୨ଜଣ ଅତିରିକ୍ତ ଏସ୍‌ପି, ୩୦ ଜଣ ଏସ୍‌ଆଇ, ୪୦ ଜଣ ଏସ୍‌ଆଇ ସୁରକ୍ଷା ଦାୟିତ୍ବରେ ରହିବେ। ଏସ୍‌ପି ରାହୁଲ ଜୈନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ବିଜେପି ଓ କଂଗ୍ରେସ ଭିନ୍ନଭିନ୍ନ ରଣନୀତି ଚଳାଇଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତାତି କିଛି ଦିନ ତଳେ ବିଜେପୁରରେ ବି ଦେଖାଯାଇଛି। ଏହାବାଦ୍‌ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସେଠାରେ ବିଜେପି ବିରୋଧ ପ୍ରଦର୍ଶନ କରୁଛି। ତେଣୁ ରାଜନୈତିକ ବାତାବରଣ ଉଷ୍ଣ ରହିବା ସ୍ବାଭାବିକ।

ପଦ୍ମପୁର ଏବଂ ବିଜେପୁର ଠାରେ ବିଜେପି କମୀ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାବାଦ୍‌ ବିଜେପୁର ଅଂଚଳରେ ଧାନବିକ୍ରି ଓ ବୀମା ସମସ୍ୟା, ଶୀତଳ ଭଣ୍ତାର ସ୍ଥାପନ, ଡାକ୍ତର ସମସ୍ୟା ନେଇ ବିଜେପି ଇସ୍ୟୁ କରିବ ବୋଲି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର କହିଛନ୍ତି। ସେହିପରି ମମିତା ମେହେର ହତ୍ୟାକାଣ୍ତ ସହ ଅନ୍ୟ ପ୍ରସଂଗ ନେଇ ଗସ୍ତକୁ କଂଗ୍ରେସ ବିରୋଧ କରିବ ବୋଲି ଯୁବନେତା ଦିଲିପ ପଣ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe