ଓଡ଼ିଶା ଦେଖିଲା ରାଜନୀତିର ରୋଚକ ଦୃଶ୍ୟ! ଜାଣନ୍ତୁ ବିଜେପି ବିଧାୟକ ନବୀନ ନିବାସରେ ପହଞ୍ଚିବା ପରେ କ’ଣ ସବୁ ଘଟିଥିଲା

Advertisment
ଓଡ଼ିଶା ଦେଖିଲା ରାଜନୀତିର ରୋଚକ ଦୃଶ୍ୟ! ଜାଣନ୍ତୁ ବିଜେପି ବିଧାୟକ ନବୀନ ନିବାସରେ ପହଞ୍ଚିବା ପରେ କ’ଣ ସବୁ ଘଟିଥିଲା

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବୋଧହୁଏ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳି ନ ଥିଲା । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ବାହାରକୁ ଆସି ଡାକିବା, ବିଜେଡିର କିଛି ତୁଙ୍ଗ ନେତା ଓ ମନ୍ତ୍ରୀ ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିବା, ବିଜେଡି ମହିଳା ନେତ୍ରୀ ପାରମ୍ପରିକ ‌ଶୈଳୀରେ ସ୍ବାଗତ କରିବା ଭଳି ଦୃଶ୍ୟ ନିଶ୍ଚିତ ଭାବେ ପ୍ରଥମ। ରାଜ୍ୟ ରାଜନୀତିର ଏହି ରୋଚକ ଦୃଶ୍ୟ ଆଜି ଗଣମାଧ୍ୟମ ଜରିଆରେ ଦେଖିବାକୁ ପାଇଛନ୍ତି ରାଜ୍ୟବାସୀ।

ଆଜି ସକାଳ ୧୦ଟାରେ ବିଧାନସଭା ଆରମ୍ଭ ହୋଇଥିଲା । ମଣ୍ଡି ସମସ୍ୟା ଓ ଦେବଗଡ଼ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ବିବାଦକୁ ନେଇ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଆରମ୍ଭ କରିଦେଲେ ହଟ୍ଟଗୋଳ । ଯାହାଫଳରେ ଗୃହ ଠିକ୍ ଭାବେ ଚାଲିପାରି ନଥିଲା । ଆଉ ଦିନ ଗୋଟାଏ ସମୟରେ ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଥିଲେ ବିଜେପି ବିଧାୟକ।

publive-image

ତେବେ ଏହାପୂର୍ବରୁ ବିଧାନସଭା ଅଚଳ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବିଜେଡି ବିଧାୟକମାନେ ଲୋକସେବା ଭବନକୁ ଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।  ଲୋକସେବା ଭବନକୁ ବିଜେପି ବିଧାୟକ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଥିବା କହି ସେଠାକୁ ଯିବା ପାଇଁ ପରାମର୍ଶ ଦେଲେ ବିଜେଡି ବିଧାୟକ । ଆଉ ଏହାପରେ ନବୀନ ନିବାସ ଅଭିମୁଖେ ଚାଲି ଚାଲି ବାହାରିଲେ ବିଜେପି ବିଧାୟକ । ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କୁ ବାଟ କଢ଼ାଇ ନେଇଥିଲେ କିଛି ବିଜେଡି ନେତା । 
ନବୀନ ନିବାସରେ ପହଞ୍ଚିବା ପରେ ଗେଟ ବନ୍ଦ ଥିବାରୁ ଦିନ ପ୍ରାୟ ୨ଟା ବେଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନଙ୍କ ଦାବି ଥିଲା, ଗୃହ ଚାଲି ପାରୁନଥିବା ବେଳେ କାହିଁକି ଗୃହକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର ଦେଖା ମିଳୁନଥିବାରୁ ସେମାନେ ଚାଲି ଚାଲି ଆସିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ରାଜନୀତିର ରୋଚକ ଦୃଶ୍ୟ, ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ବିଧାୟକଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାଶ, ପ୍ରମିଳା ମଲ୍ଲିକ, ରୋହିତ ପୂଜାରୀ ପ୍ରମୁଖ ବିଜେପି ବିଧାୟକଙ୍କୁ ହାତ ଯୋଡି ଭିତରକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ବିଜେପି ବିଧାୟକମାନେ ରାଜି ହୋଇ ନଥିଲେ ।
publive-image
ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଚାଲି ଚାଲି ଆସି ପହଞ୍ଚିଥିଲେ ବିଜେପି ସଦସ୍ୟଙ୍କ ନିକଟରେ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ବିଜେପି ବିଧାୟକମାନେ ଧାରଣାରୁ ହଟି ନବୀନ ନିବାସ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମଣ୍ଡି ସମସ୍ୟା ସମାଧାନ ଓ ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲା ବିଜେପି। ପରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦିନ ତମାମ ରାଜନୀତିର ଏହି ହାଇଭୋଲଟେଜ୍ ଡ୍ରାମା ଦେଖିଥିଲେ ରାଜ୍ୟବାସୀ । ବିରୋଧୀ ଦଳ ଯେମିତି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ରାଜନୀତିର ଦୃଶ୍ୟ ପ୍ରସ୍ତୁତ କରିଥିଲେ, ଶାସକ ଦଳ ଠିକ୍ ସେହିପରି ବିରୋଧୀ ବିଧାୟକଙ୍କୁ ଆତିଥ୍ୟ ଦେଇ ଅନୁରୂପ ରାଜନୈତିକ ଚିତ୍ର ଆଙ୍କିଥିଲେ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe