ପିଏସ୍‌ଓ ଫେରାକୁ ନେଇ ରାଜନୀତି ସର୍‌ଗରମ୍‌

Advertisment
ଏସ୍‌ଏଚ୍‌ଜି ଦ୍ବାରା ଦୁର୍ନୀତି କରାଯାଉଛି: ଜୟନାରାୟଣ

ସମ୍ବଲପୁର : ନବ ଦାସଙ୍କ ହତ୍ୟା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ)ଙ୍କୁ ଫେରାଇ ଦେବା ଓ ଓଡ଼ିଶା ପୁଲିସ୍‌ ଉପରୁ ତାଙ୍କର ଭରସା ତୁଟି ଯାଇଥିବା ମନ୍ତବ୍ୟ ଦେବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହା ଉପରେ କନଷ୍ଟେବଳ ଓ ହାବିଲ୍‌ଦାର ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମିଶ୍ରଙ୍କ ମନ୍ତବ୍ୟର ନିନ୍ଦା କରିଥିଲେ। ଜଣେ ବ୍ୟକ୍ତିର ଅପରାଧ ପାଇଁ ୯୦ ହଜାର ପୁଲିସ୍‌ଙ୍କ ଅପମାନ କରାଯିବାକୁ ସେମାନେ ଦୃଢ଼ ବ‌ିରୋଧ କରିଥିଲେ।

ଏହାର ଜବାବରେ ଶ୍ରୀ ମିଶ୍ର ପୁଣି ପାଲଟା ବର୍ଷିଥିଲେ। ପୁଲିସ୍‌ମାନେ ନିଜ କାମ କରିବା ବଦଳରେ ସାମ୍ବାଦିକ ସମ୍ମିଳନୀ କରି ରାଜନୀତି କରୁଛନ୍ତି ବୋଲି ସେ କହିଥିଲେ। ତାଙ୍କୁ ନୀତିଶିକ୍ଷା ଦେବାକୁ ସେମାନେ କିଏ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ଅପରପକ୍ଷରେ ବିଜେଡି ପକ୍ଷରୁ ବିଭିନ୍ନ ନେତାମାନେ ଶ୍ରୀ ମିଶ୍ରଙ୍କ ମନ୍ତବ୍ୟଙ୍କୁ ନାପସନ୍ଦ କରିଛନ୍ତି। ସମ୍ବଲପୁରର ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ ଏଏସ୍‌ଆଇ ଗୋପାଳ ଦାସ ସୁରକ୍ଷା ଦାୟିତ୍ବରେ ରହି ମନ୍ତ୍ରୀଙ୍କ ହତ୍ୟା କରିବା ଅତି ନିନ୍ଦନୀୟ ଘଟଣା। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପଚରାଉଚରା କରି ତଦନ୍ତ ଜାରି ରଖିଛି। ତେବେ ଗୋପାଳ ଦାସକୁ ଓଡ଼ିଶାର ସମସ୍ତ ପୁଲିସ୍‌ କର୍ମଚାରୀମାନଙ୍କ ପ୍ରତିନିଧି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଅନେକ ପୁଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜୀବନ ଦେଉଛନ୍ତି। ବିଗତ ଦିନରେ ମାଓବାଦୀମାନଙ୍କ ମୁକାବିଲା କରି ଶତାଧିକ ସହିଦ ହୋଇଛନ୍ତି। କରୋନା ସମୟରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରି ୫୦ରୁ ଅଧିକ ଜୀବନ ହାରିଛନ୍ତି। ସେମାନଙ୍କ ବଳିଦାନକୁ ସମସ୍ତେ ମନେ ରଖିବା ଜରୁରି। ତେଣୁ ପୁଲିସମାନଙ୍କ ପ୍ରତି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଦେଇଥିବା ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜେଡି ନେତା ଶ୍ରୀ ରଥ କହିଥିଲେ। ଶ୍ରୀ ମିଶ୍ର ରାଜନୈତିକ ଫାଇଦା ପାଇଁ ଏଭଳି ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe