ରାଜନୀତିକୁ ଶ୍ରେଷ୍ଠନୀତି ଭାବେ ଗ୍ରହଣ କରିବା ଆବଶ୍ୟକ: ସୌମ୍ୟ

Advertisment

 ଡାକ୍ତର ଦିବାକର ଶର୍ମାଙ୍କ ଜନ୍ମ ଶତବାର୍ଷିକୀ 

 ଡାକ୍ତର ଦିବାକର ଶର୍ମାଙ୍କ ଜନ୍ମ ଶତବାର୍ଷିକୀ 

ରାଜନୀତିକୁ ଶ୍ରେଷ୍ଠନୀତି ଭାବେ ଗ୍ରହଣ କରିବା ଆବଶ୍ୟକ: ସୌମ୍ୟ

ଆଳି : ସାମାଜିକ କଲ୍ୟାଣ ପାଇଁ  ନିୟୋଜିତ ହୋଇଥିବା ପ୍ରତ୍ୟେକ ଅନୁଷ୍ଠାନ ବା ବ୍ୟକ୍ତିଙ୍କୁ ଯଥୋଚିତ ସମ୍ମାନ ଦିଆଯିବା ଉଚିତ। ଯେଉଁମାନେ ରାଜନୀତି କ୍ଷେତ୍ରରେ ରହୁଛନ୍ତି, ସେମାନେ ରାଜନୀତିକୁ ଶ୍ରେଷ୍ଠନୀତି ଭାବେ ଗ୍ରହଣ କରିବା ଆବଶ୍ୟକ। ପ୍ରଚଳିତ ରାଜନୀତିରେ ଦେଖା ଦେଉଥିବା ତ୍ରୁଟିବିଚ୍ୟୁତିକୁ ସୁଧାରି  ସଂସ୍କାର ପାଇଁ ସଂକଳ୍ପ ସହିତ କାମ କଲେ ରାଜନୀତିରୁ ଭ୍ରଷ୍ଟାଚାର ଦୂର ହୋଇ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ସ୍ବାଧୀନତା ସଂଗ୍ରାମୀ ଡାକ୍ତର ଦିବାକର ଶର୍ମାଙ୍କ ପରି ସଂସ୍କାରିତ, ତ୍ୟାଗୀ ବ୍ୟକ୍ତିତ୍ବଙ୍କ ଜୀବନାଦର୍ଶରେ ବର୍ତ୍ତମାନର ରାଜନୈତିକ ନେତାମାନେ ଅନୁପ୍ରାଣିତ ହୋଇପାରିଲେ ତାହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଲୋକପ୍ରିୟ ଡାକ୍ତର ତଥା ଆଳିର ଭୂତପୂର୍ବ ବିଧାୟକ ଡାକ୍ତର ଦିବାକର ନାଥଶର୍ମାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ମତ ରଖିଛନ୍ତି।

publive-image

ଡାକ୍ତର ଦିବାକର ନାଥଶର୍ମା ସ୍ମୂତି ସଂସଦ ଆନୁକୂଲ୍ୟରେ ନିଆଳହାଟ ପଡ଼ିଆରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ମନ୍ତ୍ରୀ ଗଣେଶଶ୍ବର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ ଶର୍ମାଙ୍କ ତ୍ୟାଗ ଓ ସେବା ଯୋଗୁଁ ସେ ଜନମାନସରେ ଚିରସ୍ମଣୀୟ ହୋଇ ରହିବେ ବୋଲି କହିଥିଲେ। ସ୍ମୃତିସଂସଦ ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସ୍ଥାପିତ ସ୍ବର୍ଗତ ଶର୍ମାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଅନାବରଣ କରିବା ସହିତ ସ୍ମୃତି ସଂସଦ ପକ୍ଷରୁ ସ୍ବର୍ଗତ ଶର୍ମାଙ୍କ  ଜୀବନୀ ଆଧାରିତ ସ୍ମରଣିକା ‘ଅମୃତ ପାଦପ’ ଉନ୍ମୋଚିତ ହୋଇଥିଲା। ଏଥିରେ ଦେବସ୍ମିତା ଶର୍ମା ଉପସ୍ଥିତ ଥିଲେ।

ସ୍ମୃତି ସଂସଦର ଉପଦେଷ୍ଟା ନିଳାଦ୍ରୀ ଭୂଷଣ ମହାପାତ୍ରଙ୍କ ସଭାପତିତ୍ବ ଓ ସଂସଦ ସଭାପତି ପ୍ରମୋଦ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ କାହ୍ନୁଚରଣ ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପଣ୍ଡିତ ମହେଶ୍ବର ନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ ପର୍ଶୁରାମ ରାଉତରାୟ ଧନ୍ୟବାଦ ଅର୍ପଣ ଓ ସ୍ବର୍ଗତ ଶର୍ମାଙ୍କ କନିଷ୍ଠ ପୁତ୍ର ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଶତବାର୍ଷିକୀ ପାଳନ ପାଇଁ ଅତିଥି ଓ ଉଦ୍ୟୋକ୍ତାମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe