ପଞ୍ଚାୟତ ନିର୍ବାଚନ ପାଇଁ ପୋଷ୍ଟର ରାଜନୀତି ଜୋରଦାର: ବ୍ୟାନର୍‌ ମାଳରେ ଲୁଚିଗଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତି

Advertisment
ଭଞ୍ଜନଗର ବ୍ଲକ୍: ପ୍ରାର୍ଥୀ ଚୟନକୁ ନେଇ ଛିଣ୍ଡୁନି ଅଙ୍କ, ଦଳୀୟ ସମର୍ଥନରେ ଲଢ଼ିବାକୁ ଆଶାୟୀ ପ୍ରବଳ

ଢେଙ୍କାନାଳ : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ହୋଡିଂ, ବ୍ୟାନର, ପୋଷ୍ଟରରେ ଛାଇ ହୋଇଗଲାଣି ସହରର ରାସ୍ତାଘାଟ। ନୂତନବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇ ସ୍ଥିତି ଜାହିର୍ କରୁଛନ୍ତି ବିଭିନ୍ନ ଆଶାୟୀମାନେ। ବଡ ବଡ ହୋଡିଂ, ପୋଷ୍ଟର ଆଦି ସହର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦିରେ ଦେଖିବାକୁ ମିଳୁଛି। ପ୍ରତିଯୋଗିତାମୂଳକଭାବେ ପୋଷ୍ଟରଗୁଡିକୁ ଆଗପଛ ଓହଳାଇବା ଫଳରେ ପୂର୍ବସୂରିମାନଙ୍କ ପ୍ରତିମୂର୍ତ୍ତିଗୁଡିକ ବାହାରକୁ ଦୃଶ୍ୟମାନ ହେଉ ନାହିଁ। ସହରର ମୁଖ୍ୟ ବସ୍‌ଷ୍ଟାଣ୍ତ ଛକ, ଗାନ୍ଧିପାର୍କ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏହାର ଜ୍ବଳନ୍ତ ନିଦର୍ଶନ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରୁ ଅଧିକାଂଶରେ ଥିବା ପ୍ରତିମୂର୍ତ୍ତିଗୁଡିକର ମଧ୍ୟ ସମବସ୍ଥା ଦେଖିବାକୁ ମିଳୁଛି। ପୂର୍ବ ସୂରିମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତିମୂର୍ତ୍ତି ସହରର ପ୍ରମୁଖ ସ୍ଥାନମାନଙ୍କରେ ସ୍ଥାପନ କରାଯାଉଥିବା ବେଳେ ନେତା,ମନ୍ତ୍ରୀ ଏବଂ ତାଙ୍କୁ ଛାମୁଆଙ୍କ ଶୁଭେଚ୍ଛା ବାର୍ତ୍ତାର ହୋଡିଂ, ବ୍ୟାନର ‌ଯୋଗୁଁ ପ୍ରତିମୂର୍ତ୍ତି ଦେଖାନଯିବା ଘଟଣା ସେମାନଙ୍କ ପ୍ରତି ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ସମେତ ନୂଆକରି ଗଢିଉଠିଥିବା ଦଳର ବରିଷ୍ଠ ନେତୃବୃନ୍ଦଙ୍କଠାରୁ ଆରମ୍ଭ କରି କର୍ମୀ ଏବଂ ସହଯୋଗୀପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ହୋଡିଂ ବ୍ୟାନର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ନିଜ ନେତାଙ୍କ ସମର୍ଥକଙ୍କ ଫଟୋ ସହ ନିଜର ଫଟୋ ଲଗାଇ ଶୁଭେଚ୍ଛାବାର୍ତ୍ତା ଦେଇ ଜନସାଧାରଣଙ୍କୁ ଆକୃଷ୍ଟ କରିବା ଆରମ୍ଭ କରିଛନ୍ତି। ସହରର ମୁଖ୍ୟ ରାସ୍ତା ତଥା ପ୍ରମୁଖ ଛକ ସ୍ଥାନ, ବିଶେଷ କରି ଗୁଲିଖଟି ଜମୁଥିବା ସ୍ଥାନଗୁଡିକରେ ବିଭନ୍ନ ଦଳର କର୍ମୀ,ନେତାମାନେ ପୋଷ୍ଟର ବ୍ୟାନର ଲଗାଇଦେଉଛନ୍ତି। ବାଉଁଶ ପୋତି ବଡ ବଡ ହୋଡିଂ ସବୁ ଲଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ମଧ୍ୟ ହେବାକୁ ଥିବା ବେଳେ ସେଥିପାଇଁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ଆଶାୟୀମାନେ ପୋଷ୍ଟର ମାଧ୍ୟମରେ ନୂଆବର୍ଷର ଶୁଭେଚ୍ଛା ଆଳରେ ନିଜର ପ୍ରାର୍ଥିତ୍ବ ଜାହିର ପାଇଁ ପ୍ରୟାସ କରୁଛନ୍ତି। ଏହାକୁ ନେଇ ପୋଷ୍ଟର ରାଜନୀତି ଜୋରଦାର ଚାଲିଛି।

ଦେଶ ଓ ଜାତିର ସ୍ବାଭିମାନର ପ୍ରତୀକ ଆମର ପୂର୍ବସୂରିମାନଙ୍କୁ ସମ୍ମାନ ଦେବା ପାଇଁ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବର୍ତ୍ତମାନ ମାଳମାଳ ବ୍ୟାନର, ପୋଷ୍ଟର ଓ ହୋଡିଂଗୁଡିକ ଛାଇ ହୋଇରହିଥିବା ଯୋଗୁଁ ପ୍ରତିମୂର୍ତ୍ତିଗୁଡିକ ଆଉ ଦେଖାଯାଉନାହିଁ।ପରିତାପର ବିଷୟ ଯେ, ନୂଆବର୍ଷ ପୁରୁଣା ହୋଇଯିବ। ନିର୍ବାଚନ ସରିଯିବ। ହେଲେ ଏହି ପୋଷ୍ଟର, ବ୍ୟାନରଗୁଡିକ ବର୍ଷବର୍ଷଧରି ଏହିପରି ଲାଗିରହିଥିବ। ଝଡତୋଫାନ୍ କିମ୍ବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ପୋଷ୍ଟର, ବ୍ୟାନର, ହୋଡିଂ ଫାଟି ଚିରି ଉଡି ନଯିବା ପର୍ଯ୍ୟନ୍ତ ଏଗୁଡିକ ଏଠାରୁ ଉଠାଇବା ପାଇଁ କାହାର ଆନ୍ତରିକତା ନଥାଏ। ପୁନର୍ବାର ଏଠାରେ ନୂଆ ପୋଷ୍ଟର ନ ଲାଗିବା ପର୍ଯ୍ୟନ୍ତ ପୁରୁଣାଗୁଡିକ ସେମିତି ଓହଳିଥାଏ। ଏହା ଫଳରେ ପୂର୍ବସୂରିମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କୁ ପଚାରିବାରୁ ସେ କହିଲେ, ନୂଆବର୍ଷ ପାଇଁ ପୋଷ୍ଟର, ବ୍ୟାନର ଏବଂ ହୋଡିଂଗୁଡିକ ଲଗାଯାଇଛି। ଦୁଇ ତିନିଦିନ ପରେ ସେଗୁଡିକୁ କାଢି ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe