ମୌଳିକ ସୁବିଧା ଅପହଞ୍ଚ: ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ମୌଳିକ ସୁବିଧା ଅପହଞ୍ଚ: ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଘୁ.ଉଦୟଗିରି: ଗଣତାନ୍ତ୍ରିକ ସରକାର ବିଭିନ୍ନ ଯୋଜନାରେ ତୃଣମୂଳ ସ୍ତରରେ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହିତ ଖୁସିର ବାର୍ତ୍ତା ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଓ ପ୍ରକଳ୍ପମାନ ତିଆରି କରି ଜନସାଧାରଣଙ୍କୁ ସମସ୍ତ ସୁବିଧା ପହଞ୍ଚାଇବାରେ ପ୍ରୟାସ କରୁଛନ୍ତି। ହେଲେ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଅନେକ ଗାଁ ଗୁଡ଼ିକ ରହିଛି ଯେଉଁଠାରେ ସରକାରଙ୍କ ଯୋଜନା ପହଞ୍ଚିପାରିନି, ଯେଉଁଠାରେ ନା ଜଳ ଯୋଗାଣର ବ୍ୟବସ୍ଥା ଅଛି ନା ବିଦ୍ୟୁତ ସଂଯୋଗ ହୋଇପାରିଛି। ଅନ୍ଧକାରମୟ ଜୀବନ କାଳାତିପାତ କରୁଥିବାବେଳେ ଚୁଆଁ ପାଣିରେ ଶୋଷ ମେଣ୍ଟୁଛି। ଏପରି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର ଗୁମାମହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଡୁନବାଡି ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ।

ପାଡୁନବାଡିରେ ୨୦୦ ପରିବାର ପାଇଁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା ସହିତ ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ। ଏହି ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଅନେକ ଥର ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା କରିବା ସହିତ ବାରମ୍ବାର ପ୍ରଶାସନକୁ ଲିଖିତଭାବେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିବାରୁ ଆଜି ପଡୁନବାଡ଼ି ଗ୍ରାମବାସୀ ବୈଠକ କରି ପୁନର୍ବାର ପ୍ରଶାସନ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଲିଖିତ ଅଭିଯୋଗ ପ୍ରେରଣା କରିବାକୁ ଆଲୋଚନା କରିଛନ୍ତି। ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ମଣିଷ ଚନ୍ଦ୍ରକୁ ଯାଇ ଜଳ ସନ୍ଧାନ କରିଲାଣି ଅଥଚ ପୃଥିବୀ ପୃଷ୍ଠରେ ରହୁଥିବା ଗରିବ ଅସହାୟଲୋକ ଆଜିବି ଟୋପାଏ ପିଇବା ପାଣି ପାଇଁ ଦୀର୍ଘ କିମି ଚାଲି ଚାଲି ଯାଇ ଝାଳ ବୁହେଇବାକୁ ପଡୁଛି।

publive-image

କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବଙ୍କ ପାଇଁ ଏବଂ ଗାଁର ବିକାଶର ନାରା ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ କେତେ ବିକାଶ ହୋଇଛି ଗ୍ରାମାଞ୍ଚଳର ଅଧିବାସୀ କିଭଳି ଜୀବନ ଅତିବାହିତକରୁଛନ୍ତି ଥରେ ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲେ ଠିକ ବୁଝିହେବ ଯେ କିଭଳି ଆଜି ବି ଏହି ବିଜ୍ଞାନ ଯୁଗରେ ଏହି ଅଞ୍ଚକଲର ଲୋକ ଜଙ୍ଗଲୀ ଜୀବନ ଯାପନ କରୁଛନ୍ତି। ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଗୁମାମାହା ପଞ୍ଚାୟତର ପାଡୁନବାଡ଼ି ଗାଁରେ।ପାହାଡିଆ ଗାଁ।

ଅତି ସୁନ୍ଦର ପରିବେଶ। ସବୁଜ ବନାନୀ ପରିବେଶ ମଧ୍ୟରେ ଗୁମାମାହା ପଞ୍ଚାୟତ ର ୬ନଂ ୱାର୍ଡରେ ଅବସ୍ଥିତ  ଏହି ଗାଁରେ ୧୧୦ଘରର ୫୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା।ଗ୍ରାମବାସୀଙ୍କ ଦୁଃଖ ପାନୀୟଜଳ। ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମର ଆବାଳ ବୃଦ୍ଧବନିତା। ଗାଁ ଠାରୁ ଏକ କିମିରୁ ଊର୍ଦ୍ଧ୍ୱ ରାସ୍ତା ବିଲମାଳ ଚାଲି ଚାଲି ଗଲେ ବିଲ ଭିତରେ ଥିବା ଏକ ଚୁଆ ରୁ ପାଣି ସଂଗ୍ରହ କରି ଆଣିଲେ ସମସ୍ତଙ୍କ ଶୋଷ ମେଣ୍ଟୁଛି। ଏହି ଗ୍ରାମ ନିମନ୍ତେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଅର୍ଥ ବ୍ୟୟ ବରାଦ କରାଯାଇ ଓଭର ହେଡ ଟ୍ୟାଙ୍କ, ବୋରୱେଲ, ପାଇପ ଲାଇନ ବିଚ୍ଛା ଯିବା  କାର୍ଯ୍ୟ କରାଯିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ଏକବର୍ଷ ଅତିକ୍ରାନ୍ତ ହେଲାଣି କିନ୍ତୁ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରିନି କହିବାକୁ ଗଲେ ପାଡୁନବାଡି ଗାଁରେ ବସୁଧା ଯୋଜନା ଆଣ୍ଠେଇଛି।

ଅପାରଗ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଅର୍ଥ ବ୍ୟୟ ବରାଦ ସତ୍ତ୍ୱେ ଲୋକଙ୍କ କାର୍ଯ୍ୟରେ ପ୍ରକଳ୍ପ ନ ଲାଗିବା ପରିତାପର ବିଷୟ। ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଲୋକେ ଟୋପାଏ ପାଣି ପାଇଁ ଡହଳ ବିକଳ ହେବା ପରିତାପର ବିଷୟ। ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି ବସୁଧା ଯୋଜନାରେ ପାଡୁନବାଡ଼ି ଗାଁ ଲୋକଙ୍କ ପାଇଁ ପାଣି ବ୍ୟବସ୍ଥା ଚାଲିଛି କାର୍ଯ୍ୟରେ ବିଳମ୍ବ ହେଉଛି ବାରମ୍ବାର ଆମେ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରୁଛି ତଥାପି କିଛି ଫଳ ମିଳୁନି।ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଏହି ଗାଁର ପାଣି ସମସ୍ୟା ଦୂର ହୋଇଯିବ।ସେଇଭଳି ୱାର୍ଡ ମେମ୍ବର ରବୀନ୍ଦ୍ର ପ୍ରଧାନ ନିଜ ଗ୍ରାମବାସୀ କିଭଳି ପିଇବା ପାଣି ଶୀଘ୍ର ପାଇବେ ସେଥିନିମନ୍ତେ ସମସ୍ତଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟ ବିଳମ୍ବ ହେଉଥିବା ଏବଂ କେହି ମଧ୍ୟ ସହଯୋଗ କରୁନଥିବା କହିଛନ୍ତି। ଲିତା ପରିଛା, ସ୍ନେହଳତା ପରିଛା ଏବଂ ଜାଲମି ପ୍ରଧାନ ଅତିଶୀଘ୍ର ଆମ ଗାଁ ଲୋକଙ୍କ ଟୋପାଏ ପିଇବା ପାଣି ଦେବାକୁ ସରକାର, ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରିବା ସହ ଚେତାବନୀ ଦେଇଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe