ଏବେଠୁ ଉତ୍କଟ ହେଲାଣି ପ୍ରଦୂଷଣ ବିଷ

ଅକ୍ଟୋବରରୁ ଉପରମୁହାଁ ହୁଏ ଅନୁଗୁଳ ଓ ତାଳଚେର ସହରର ବାୟୁ ପ୍ରଦୂଷଣ। ଦୀପାବଳିରେ ଚରମସୀମାରେ ପହଞ୍ଚେ। ଆଉ ଏହି ଧାରା ମାର୍ଚ୍ଚ, ଏପ୍ରିଲ ପର୍ଯ୍ୟନ୍ତ ଜାରି ରହେ। ଏଣୁ ଦୀପ‌ାବଳି ପୂର୍ବରୁ ଏବେ ସହରରେ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। 

RTRET

ଅନୁଗୁଳ: ଅକ୍ଟୋବରରୁ ଉପରମୁହାଁ ହୁଏ ଅନୁଗୁଳ ଓ ତାଳଚେର ସହରର ବାୟୁ ପ୍ରଦୂଷଣ। ଦୀପାବଳିରେ ଚରମସୀମାରେ ପହଞ୍ଚେ। ଆଉ ଏହି ଧାରା ମାର୍ଚ୍ଚ, ଏପ୍ରିଲ ପର୍ଯ୍ୟନ୍ତ ଜାରି ରହେ। ଏଣୁ ଦୀପ‌ାବଳି ପୂର୍ବରୁ ଏବେ ସହରରେ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି।  ଗତ କିଛିଦିନ ହେଲା ଅନୁଗୁଳ ଓ ତାଳଚେର ସହରର ବାୟୁର ମାନ ଖରାପରୁ ଖରାପ ହେବାରେ ଲାଗିଛି। ଏପରିକି ସେପ୍ଟେମ୍ବର ମାସରୁ ବାୟୁ ମାନ ସୂଚକାଙ୍କ (ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ) ଶହେ ଉପରେ ପହଞ୍ଚିଲାଣି। ଏହାକୁ ଖରାପ ବର୍ଗର ବାୟୁ ଭାବେ ବିବେଚନା କରାଯାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ତାଳଚେର ସହରର ଏକ୍ୟୁଆଇ ୧୧୬ ରହିଛି। ଚଳିତ ଅକ୍ଟୋବର ପହିଲାରେ ଏହା ୧୩୧ ରହିଥିଲା ବେଳେ ୨ ତାରିଖରେ ୧୨୨ ଓ ୩ ତାରିଖରେ ୧୨୫ ରହିଥିଲା। ୫ ତାରିଖରେ ଏକ୍ୟୁଆଇ ୧୯୩ରେ ପହଞ୍ଚି ଯାଇଥିଲା। ପରେ ଅବଶ୍ୟ କମିଥିଲା। କିନ୍ତୁ ଗତ ୧୬ ତାରିଖରୁ ଏହା ପୁଣି ଉପରମୁହାଁ ହେବାରେ ଲାଗିଛି।

କେବଳ ଯେ ଏହି ଅକ୍ଟୋବରରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିଛି ତାହା ନୁହେଁ, ସେପ୍ଟେମ୍ବର ମାସରେ ବି ତାଳଚେର ସହରରେ ବାୟୁର ମାନ ଖରାପ ଥିଲା। ସେପ୍ଟେମ୍ବର ୧୨ରେ ଏକ୍ୟୁଆଇ ୧୦୨ ରହିଥିବା ବେଳେ ୩୦ ତାରିଖରେ ଏହା ୧୪୬ରେ ପହଞ୍ଚିଥିଲା। ଦିନେ ଦୁଇଦିନ ହେଲା ଅନୁଗୁଳରେ ହାଲ୍‌କା ବର୍ଷା ହେବାରୁ ଏଠାରେ ବାୟୁ ପ୍ରଦୂଷଣରେ ସାମାନ୍ୟ ରୋକ୍‌ ଲାଗିଛି। ନ ହେଲେ ଅକ୍ଟୋବର ଆରମ୍ଭରୁ ଏଠାରେ ପ୍ରଦୂଷଣ ଖରାପ ଆଡ଼କୁ ଯାଉଥିଲା। ଚଳିତମାସ ୩ ତାରିଖରେ ଅନୁଗୁଳରେ ଏକ୍ୟୁଆଇ ୧୨୩ ରହିଥିଲା। ପାଖାପାଖି ସପ୍ତାହେ ଧରି ଏହା ୧୦୦ ଉପ‌ରେ ରହିବା ପରେ ସାମାନ୍ୟ ତଳକୁ ଖସିଛି। ଆଜି ଅନୁଗୁଳର ବାୟୁ ମାନ ସୂଚକାଙ୍କ ୯୦ ରହିଛି। ତାଳଚେର ପରି ଅନୁଗୁଳରେ ମଧ୍ୟ ଏଥର ବାୟୁ ପ୍ରଦୂଷଣ ଧାରା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଛି। ଗତ ମାସ ୨ ତାରିଖରେ ଅନୁଗୁଳର ଏକ୍ୟୁଆଇ ୧୦୪ ଛୁଇଁଥିଲା ବେଳେ ପରେ ଏହା ବଢ଼ି ୨୦ ତାରିଖ ବେଳକୁ ୧୧୯ରେ ପହଞ୍ଚିଥିଲା।  

ଅନୁଗୁଳ ଓ ତାଳଚେର ସହରରେ ବାୟୁ ମାନ ସୂଚକାଙ୍କ ୧୦୦ ଉପରେ

ଗତ କିଛି ବର୍ଷର ହିସାବ ଅନୁସାରେ, ପାର୍ବଣ ପରେ ଅନୁଗୁଳ ଜିଲ୍ଲାରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଶୀତ ବେଳକୁ ଏହା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚେ। ଏଥର କିନ୍ତୁ ନିୟମିତ ବର୍ଷା ହେବାରୁ ବାୟୁର ମାନ ଅତି ଖରାପ ସ୍ଥିତିକୁ ଯାଇନି। ତଥାପି ଦିନକୁ ଦିନ ବାୟୁର ମାନ ଖରାପ ଆଡ଼କୁ ଯାଉଛି। ଖଣିଖାଦାନ, କଳକାରଖାନା ପାଇଁ ଜିଲ୍ଲାରେ ପ୍ରଦୂଷଣ ବୃଦ୍ଧି ପାଉଥିଲାବେଳେ ଜିଲ୍ଲା ଦେଇ ଯାଇଥିବା ଜାତୀୟରାଜପଥଗୁଡ଼ିକର ନିର୍ମାଣ ଚାଲିଥିବାରୁ ବାୟୁ ପ୍ରଦୂଷଣ ବଢ଼ୁଛି। ରାଜ୍ୟରେ କେନ୍ଦ୍ରସ୍ଥଳରେ ଥିବାରୁ ଜିଲ୍ଲା ଦେଇ ଲକ୍ଷାଧିକ ଗାଡ଼ି ଯିବାଆସିବା କରୁଛି। ପୁଣି ପ୍ରତିଦିନ ହଜାର ହଜାର ଟ୍ରକ୍‌ରେ କୋଇଲା ବୁହା ହେଉଛି। ଏଣୁ ପ୍ରଦୂଷଣର ମାତ୍ରା ଅଧିକ ରହୁଛି। ଏକ୍ୟୁଆଇ ଶହେ ଉପରେ ରହୁଥିବାରୁ ଏହାକୁ ଅସ୍ବାସ୍ଥ୍ୟକର ଭାବେ ବିବେଚନା କରାଯାଉଛି। ରୋଗୀ, ବୃଦ୍ଧବୃଦ୍ଧାଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟଗତ ଅସୁବିଧାରେ ପକାଉଛି ଏହି ବାୟୁ ପ୍ରଦୂଷଣ। ଏବେ ବାୟୁରେ ପିଏମ୍‌ ସ୍ତର ୧୦ ରହୁଥିଲା ବେଳେ ‌କୋଇଲା ଧୂଆଁ ପାଇଁ ହୃଦ୍‌ରୋଗୀମାନେ ଶ୍ବାସକ୍ରିୟା ସଂପାଦନ କରିବାରେ କଷ୍ଟ ଅନୁଭବ କରୁଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ କୋଟି କୋଟି ଟଙ୍କାର ବାଣ ଫୁଟିବ। ସାରା ଜିଲ୍ଲା ବାଣଧୂଆଁରେ ଛାଇଯିବ। ଆଉ ଏହା ବାୟୁ ପ୍ରଦୂଷଣକୁ ଉଦ୍‌ବେଗଜନକ ସ୍ଥିତିକୁ ନେଇଯିବାର ଆଶଙ୍କା ଜଳଜଳ ଦିଶିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe