ବ୍ରହ୍ମପୁର: ଦଳରେ ପୋତି ହେଲାଣି ବେଡ଼ାବନ୍ଧ ପୋଖରୀ

Advertisment
ବ୍ରହ୍ମପୁର: ଦଳରେ ପୋତି ହେଲାଣି ବେଡ଼ାବନ୍ଧ ପୋଖରୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧିନରେ ଥିବା ପୋଖରୀ ଗୁଡ଼ିକ ମଧ୍ୟରେ ଥିବା ବୃହତ୍‌ ବନ୍ଧ ମଧ୍ୟରେ ଅନ୍ୟତମ ଗୋସାଇଁ ନୂଆଗାଁର ବେଡ଼ାବନ୍ଧ। ୨୫ନଂ ୱାର୍ଡ଼ରେ ଥିବା ଏହି ବନ୍ଧ ଏବେ ଦଳରେ ପୋତି ହୋଇଗଲାଣି। ଦୂରରୁ ଏହା ଏକ ଖୋଲା ପଡ଼ିଆର ଭ୍ରମ ସୃଷ୍ଟି କରୁଛି, ପାଣି ଜମାରୁ ଦେଖାଯାଉନି। ହେଲେ ଦଳ ସଫେଇକୁ ଗୁରୁତ୍ବ ଦିଆ ନଯାଇ ମାତ୍ର ୨ବର୍ଷ ତଳେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ବିଏମସି ପକ୍ଷରୁ ତୁଠର ଉନ୍ନତୀକରଣ ଏବଂ ମହିଳାଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ ହୋଇଥିଲା। କିନ୍ତୁ ଏବେ ଏହି ବନ୍ଧର ଏକାଧିକ ତୁଠ ପରିତ୍ୟକ୍ତ ହୋଇପଡ଼ିଛି, କେତେକ ପୋତି ହୋଇଗଲାଣି। ମହିଳାଙ୍କ ପାଇଁ ନିର୍ମିତ ପୋଷାକ ପରିବର୍ତ୍ତନ ଗୃହ ଗୁଡ଼ିକ ମଧ୍ୟ ଅନୁପଯୋଗୀ ହୋଇଗଲାଣି। ‌

publive-image

ଯେଉଁମାନେ ସ୍ନାନଶୌଚ ପାଇଁ ଏହି ବନ୍ଧ ଉପରେ ନିର୍ଭର କରୁଛନ୍ତି, ସେମାନେ କେତୋଟି ତୁଠକୁ ସଫା କରିଛନ୍ତି। ଦଳ ସଫା କରିବା ସହ ପୁଣିଥରେ ଦଳ ନମାଡ଼ି ଆସିବା ପାଇଁ ପାଣି ଭିତରେ ବାଉଁଶ ବାନ୍ଧି ବାଡ଼ ଦେଇଛନ୍ତି। ତେବେ ପାଣି ସେଠାରେ ଗାଧୋଉଥିବା କିଛି ଲୋକଙ୍କୁ ପଚାରିବାରୁ ପାଣି କୁ‌େଣ୍ଡଇ ହେଉଥିବା କହିଥିଲେ। କିନ୍ତୁ ଅନ୍ୟ କୌଣସି ଉପାୟ ନଥିବାରୁ ଏହା ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ କେତେକଙ୍କ ମତ ଅନୁଯାୟୀ ନିୟମିତ ଏଠାରେ ଗାଧୋଉଥିବାରୁ ପାଣି ଖରାପ ହେଲେମଧ୍ୟ ତା'ର କୁପ୍ରଭାବ ସେମାନଙ୍କ ଉପରେ ପଡ଼ୁନି। ଅନ୍ୟପକ୍ଷେ ଲୋକଦେଖା ଉନ୍ନତୀକରଣ କାର୍ଯ୍ୟ ହେଉଥିବା ବେଳେ ପୋଖରୀ ସଫେଇକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରିଥିଲେ। ‌

publive-image

ଏହି ବନ୍ଧର ଗୋଟିଏ ପାର୍ଶ୍ବ ହୁଡ଼ା ଉପରେ ନିର୍ମାଣ ହୋଇଥିବା କଂକ୍ରିଟ୍‌ ରାସ୍ତା ଗୋସାଇଁ ନୂଆଗାଁରୁ ଆମ୍ବବଜାରକୁ ସଂଯୋଗ କରୁଛି। ୨୦୧୨ମସିହାରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା। ଏବେ ଏହାର ମରାମତି ଦରକାର ପଡ଼ିଲାଣି। ରାସ୍ତା ଉପରେ ସ୍ଥାନେସ୍ଥାନେ ବଡ଼ବଡ଼ ଫାଟ ସୃଷ୍ଟି ହେଲାଣି। ଅନ୍ୟପକ୍ଷେ ଏହି ହୁଡ଼ା ରାସ୍ତାର ଦୁଇ ପାଖ ମୁକ୍ତାକାଶ ପାଇଖାନା ପାଲଟିଛି। ଖାଲି ସେତିକି ନୁହେଁ ‌ବନ୍ଧ ହୁଡ଼ା ଠାରୁ ଆରମ୍ଭ କରି ଏହାର ଆଖପାଖ ଅଂଚଳରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ୁଛି। ବନ୍ଧର ରକ୍ଷଣାବେକ୍ଷଣକୁ ଆଦୌ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହେଉଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ନିହାତିପକ୍ଷେ ସମସ୍ତ ବନ୍ଧର ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ, ନଚେତ୍ କିଛି ବର୍ଷ ପରେ ଏଠାରେ ଉତ୍କଟ ଜଳ ସମସ୍ୟ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କଲେଣି। ହଜାର ହଜାର ଲୋକ ବେଡ଼ାବନ୍ଧ ଉପରେ ନିର୍ଭର କରୁଥିବା ବେଳେ ଏହାର ଜଳ ସଂରକ୍ଷଣ ସହ ବନ୍ଧର ରକ୍ଷାଣ‌ାବେକ୍ଷଣ ପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe