ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ୱର୍ ୱାର୍ଡ ଧବଳଗିରି ଡିଡିଏମ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖ ପୁଷ୍କରିଣୀକୁ ଶାନ୍ତି ନିରଙ୍କାରି ମିସନ ପକ୍ଷରୁ ସଫେଇ କରାଯାଇଛି। ସଂସ୍ଥାର ସଦସ୍ୟମାନେ ଆଜି ଏହି ପୋଖରୀକୁ ସଫା କରିଥିଲେ। ପୋଖରୀଟି ବହୁଦିନ ହେଲା ପରିତ୍ୟକ୍ତ ହୋଇ ପଡ଼ିଥିଲା। ପ୍ରକାଶ ଯେ, ବ୍ୟାସନଗର ସହରର ୨୬ ଟି ୱାର୍ଡରେ ଶତାଧିକ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୌରସଂସ୍ଥା ପକ୍ଷରୁ ପୋଖରୀର ଉନ୍ନତୀକରଣ କିମ୍ବା ସଫେଇ କରାଯାଉନାହିଁ।
ବିଭିନ୍ନ ୱାର୍ଡବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ପ୍ରାୟ ୨ ଶହ ସଫେଇ କର୍ମଚାରୀ ପୌର ତହବିଲ୍ରୁ ମାସକୁ ଲକ୍ଷାଧିକ ଟଙ୍କା ବିଲ୍ ନେଉଥିବା ବେଳେ ସଫେଇ ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଅନ୍ୟପକ୍ଷରେ ବ୍ୟାସନଗର ସହରର ପ୍ରବେଶ ପଥ ଦଳା, ନହକା ଓ ଧବଳଗିରି ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ପୋଖରୀକୁ ଆଦର୍ଶ ପୋଖରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି। ହେଲେ ପୋଖରୀ ଗୁଡ଼ିକର ବିକାଶ ଦୂର କଥା ସଫେଇ ବି ହେଉନାହିଁ। ଏହାକୁ ଦେଖିବା ପରେ ଶାନ୍ତି ନିରଙ୍କାରି ମିସନ ପକ୍ଷରୁ ପୋଖରୀର ସଫେଇ କରାଯାଇଥିଲା। ଆଗାମୀ ଦିନରେ ସହରରେ ଥିବା ଅନ୍ୟ ପୋଖରୀ, ମନ୍ଦିର, ଡାକ୍ତରଖାନା ଆଦି ସଫେଇ କରାଯିବ ବୋଲି ସଂସ୍ଥାର ସଦସ୍ୟ ନିରଞ୍ଜନ ଜେନା, ଶୁଭ ନାରାୟଣ ବେହେରା, ଧର୍ମେନ୍ଦ୍ର ଜେନା, ପ୍ରଭାସିନୀ ଦାସ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପନଗରପାଳ ସୁବାସ ବଳ, କାଉନସିଲର ଅଶୋକ ଦାସ ଯୋଗଦେଇ ସଂସ୍ଥାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
Follow Us