ନୂଆପଡ଼ାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ କୋଠରିରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ

ପାଳି କରି ପଢ଼ାଉଛନ୍ତି ୩ ଶିକ୍ଷକ ଶିକ୍ଷୟିତ୍ରୀ

ନୂଆପଡ଼ାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ କୋଠରିରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ

ନୂଆପଡ଼ା: ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ୫-ଟି ଯୋଜନାରେ ଭିତ୍ତିଭୂମିର ବିକାଶ କରି ସ୍କୁଲ ରୂପାନ୍ତରଣ କରୁଛନ୍ତି। ଏତେସବୁ ଯୋଜନା ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଯୋଜନା ଗୁଡ଼ିକ ପହଞ୍ଚି ପାରିନଥିବା ଅଭିଯୋଗ ହେଉଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ କଲୋନିପଡ଼ା ସ୍କୁଲର ବିକଳ ଚିତ୍ର ଦେଖିଲେ ତାହା ବେଶ୍ ଜଣାପଡ଼ୁଛି। ଗୋଟିଏ କୋଠରିରେ ୫ଟି ଶ୍ରେଣୀର ୬୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଠାରେ କିଭଳି ଶିକ୍ଷାଦାନ ହେଉଥିବା ଏହି ଚିତ୍ରକୁ ଦେଖିଲେ ବେଶ୍ ଜଣାପଡ଼ୁଛି।

ସୂଚନାମତେ, ୧୯୮୭ରେ ତରବୋଡ଼ କଲୋନିପଡ଼ାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏହି ସ୍କୁଲରେ ପ୍ରଥମରୁ ପ‌ଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ମୋଟ ୬୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମରେ ୮ ଜଣ, ଦ୍ବିତୀୟରେ ୧୪, ତୃତୀୟରେ ୧୪, ଚତୁର୍ଥରେ ୧୩ ଓ ପ‌ଞ୍ଚମରେ ୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ବିଜୟଲକ୍ଷ୍ମୀ ବଘେଲ ରହିଥିବା ବେଳେ ଶିକ୍ଷକ ବିଶ୍ବମ୍ବର ରାଉତରାୟ ଓ ହରେକୃଷ୍ଣ ମେହେରଙ୍କୁ ମିଶାଇ ମୋଟ୍ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ସ୍କୁଲରେ କୋଠରି ଅଭାବ ଯୋଗୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ବହୁ ଅସୁବିଧା ହେଉଥିବା ସ୍ଥାନୀୟ ଅଭିଭାବକ ଅଭିଯୋଗ କରିଛନ୍ତି। ସ୍କୁଲର ୨ଟି ପୁରୁଣା କୋଠା ଭଙ୍ଗାଦଦରା ଅବସ୍ଥାରେ ପଡ଼ିରହିଛି।

ଏହି ଦୁଇ କୋଠରି ମଧ୍ୟରୁ ଗୋଟିଏ କୋଠରିକୁ ବ୍ୟବହାର ଅଯୋଗ୍ୟ ଘୋଷଣା କରି ଛାତ୍ରଛାତ୍ରୀଙ୍କୁ ବସିବା ପାଇଁ ବାରଣ କରାଯାଇଛି। ଅନ୍ୟ କୋଠରିଟି ଭଗ୍ନ ପ୍ରାୟ ହୋଇଥିଲେ ମଧ୍ୟ ବିପଦସଂକୁଳ ଅବସ୍ଥାରେ ପାଚିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ବ୍ୟବହାର କରୁଛନ୍ତି। ୨୦୧୪ରେ ନିର୍ମାଣ ହୋଇଥିବା କୋଠରିରେ ସ୍କୁଲର ୫ଟି ଶ୍ରେଣୀର ୬୨ ଜଣ ପିଲା ବସି ଅଧ୍ୟୟନ କରୁଛନ୍ତି। ଏଥିରୁ ଶିକ୍ଷାଦାନ କିଭଳି ହେଉଥିବ ତାହା ସହଜରେ ଅନୁମାନ କରିହେଉଛି।

ଗୋଟିଏ କୋଠରିରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ସମ୍ଭବ ହେଉନଥିବାରୁ ପାଲି କରି ପଢ଼ାଉଛନ୍ତି। ତେବେ ଚତୁର୍ଥ ଓ ପ‌ଞ୍ଚମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଲେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ପିଲା ପାଠପଢ଼ାରୁ ବ‌ଞ୍ଚିତ ହେଉଛନ୍ତି। ସ୍କୁଲର ସମସ୍ୟା ନେଇ ବିଭାଗୀୟ ଅଧିକାରୀ, ବ୍ଲକ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ସୁଦ୍ଧା କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏନେଇ ବିଇଓ ହେମସାଗର ମହାନନ୍ଦଙ୍କୁ ପଚାରିବାରୁ ପୁରାତନ ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ଅନ୍ୟ ଏକ କୋଠରିରେ ଶିକ୍ଷାଦାନ ଚାଲିଛି।

ଏନେଇ କୋମନା ବିଡିଓ ଏବଂ ସ୍ଥାନୀୟ ସରପ‌ଞ୍ଚଙ୍କୁ ଶ୍ରେଣୀଗୃହ ସମସ୍ୟା ଉପରେ ଅବଗତ କରିଛୁ। ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନା ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଜରିଆରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କିମ୍ବା ମରାମତି କରିବା ବ୍ୟବସ୍ଥା ନାହିଁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଜଣାଇଛୁ ଓ ଖୁବ୍‌ଶୀଘ୍ର ନୂତନ କୋଠାଗୃହ ନିର୍ମାଣ ହେବ ବୋଲି ଆଶା କରୁଛୁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ପାଠ ପଢ଼ୁଥି‌ବେ ତାହା ବେଶ୍ ଅନୁମାନ କରାଯାଉଛି। ଏଥିପ୍ରତି ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ତଥା ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe