ଉଜୁଡ଼ା ସ୍ବାସ୍ଥ୍ୟସେବାର ଦୁଇଟି ଦୃଶ୍ୟ: ହସ୍ପିଟାଲ ବାରଣ୍ଡା, ଅଟୋ ଭିତରେ ପ୍ରସବ

ଉଜୁଡ଼ା ସ୍ବାସ୍ଥ୍ୟସେବାର ଦୁଇଟି ଦୃଶ୍ୟ: ହସ୍ପିଟାଲ ବାରଣ୍ଡା, ଅଟୋ ଭିତରେ ପ୍ରସବ

ବରଗଡ଼ : ଡାକ୍ତର ଏବଂ ଭିତ୍ତିଭୂମି ଅଭାବରୁ ବରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା ଦୀର୍ଘ ଦିନରୁ ବିଗିଡ଼ି ଯାଇଛି। ଏହି ଉଜୁଡ଼ା ସ୍ବାସ୍ଥ୍ୟସେବାର ଦୁଇଟି ଦୃଶ୍ୟ ଶନିବାର ଭୋର‌୍‌ରେ ଦେଖିବାକୁ ମିଳିଛି। ଜଣେ ମହିଳା ହସ୍ପିଟାଲ ବାରଣ୍ଡାରେ ଏବଂ ଅନ୍ୟଜଣେ ଅଟୋ ଭିତରେ ପ୍ରସବ କରିବାକୁ ବାଧ୍ୟ ହୋଇଛନ୍ତି। ଉଭୟ ଘଟଣା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଛି।

ବରଗଡ଼ ନିକଟସ୍ଥ ତୋରା ଗ୍ରାମର ନେତ୍ରାନନ୍ଦ ମହାପାତ୍ର ତାଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ପ୍ରଥମେ କୋଭିଡ୍‌ ପରୀକ୍ଷା କରିବାକୁ କହିଥିଲେ। ହେଲେ କୋଭିଡ୍‌ ପରୀକ୍ଷା କରିବାକୁ କୌଣସି ଡାକ୍ତର କିମ୍ବା କର୍ମଚାରୀ ଉପସ୍ଥିତ ନଥିଲେ। କୌଣସି ଉପାୟ ନପାଇ ଏହି ଦମ୍ପତି ପ୍ରସୂତି କକ୍ଷକୁ ଯାଇଥିଲେ। ହେଲେ କକ୍ଷ ବନ୍ଦ ଥିବାବେଳେ ଡ୍ୟୁଟିରେ ଥିବା କୌଣସି କର୍ମଚାରୀ ତାଙ୍କ କଥା ଶୁଣିନଥିଲେ। ଦୀର୍ଘ ଘଣ୍ଟା ଧରି ଏଭଳି ହଇରାଣ ହରକତ ହେବା ପରେ ଜ୍ୟୋତିର୍ମୟୀ ଗୋଟିଏ ଅଟୋ ଭିତରେ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ। ସୌଭାଗ୍ୟକୁ ଉଭୟ ମା’-ଶିଶୁ ସୁସ୍ଥ ଅଛନ୍ତି।। କିଛି ସମୟ ପରେ ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ନୂଆ ଗୁଡେଶିରା ଗ୍ରାମର ଭାବୀନ୍ଦ୍ର ମୀନା ନିଜ ସ୍ତ୍ରୀ ଲଳିତାଙ୍କୁ ଆଜି ଭୋର୍ ରେ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ନଥିଲେ। ଡାକ୍ତରଙ୍କୁ ଅପେକ୍ଷା କରି ଲଳିତା ପୁରୁଣା ଜିଲ୍ଳା ଡାକ୍ତରଖାନା ପରିସରରେ ବନ୍ଦ ପଡ଼ି ଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ବହୁ ଆନ୍ଦୋଳନ ପରେ ଅର୍ବାନ ସିଏଚ୍‌ସି ଭାବେ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏଠାରେ ଚିକିତ୍ସା ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ସଂଖ୍ୟାରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ରହୁନଥିବା କାରଣରୁ ଲୋକଙ୍କ ଜୀବନ ବାଜିରେ ଲାଗିଛି। କିଛି ଦିନ ତଳେ ଜଣେ ରୋଗୀଙ୍କୁ ନିରାମୟ କାଉଣ୍ଟରରୁ ଏକ୍ସପାଏରି ଔଷଧ ମଧ୍ୟ ଦିଆଯାଇଥିଲା। ତେଣୁ ଏଠାରେ ବାରମ୍ବାର ଅବହେଳା ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe