ଭଦ୍ରକ: ନିଜର ଭିକ୍ଷା ଅର୍ଜିତ ଅର୍ଥରେ ବକେୟା ବିଦ୍ୟୁତ୍ ବିଲ ଭରି ଏବେ ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ଦିବ୍ୟାଙ୍ଗ ଭିକାରି କାର୍ତିକ ନାଥ। ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଥିବା ବେଳେ ଆଜି ଖୋଦ୍ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କ ଘରକୁ ଯାଇ କାର୍ତିକଙ୍କୁ ସମ୍ବର୍ଧିତ କରିଥିଲେ। ଭଦ୍ରକ ସହର ଅନ୍ତର୍ଗତ ଉତ୍ତରବାହିନୀ ସରିପୁର ଗ୍ରାମର କାର୍ତିକ ନାଥ ଜଣେ ଦିବ୍ୟାଙ୍ଗ। କାମଧନ୍ଦା କିଛି ନ ମିଳିବାରୁ ଭିକ୍ଷାବୃତ୍ତି କରି ତାଙ୍କର ପରିବାର ପ୍ରତିପୋଷଣ କରନ୍ତି। ଏପରିସ୍ଥିତିରେ ବକେୟା ବିଲ୍ ନଦେଲେ ଉପଭୋକ୍ତାଙ୍କର ଲାଇନ୍ କାଟି ଦିଆଯିବ ବୋଲି ବିଦ୍ୟୁତ୍ ବିଭାଗ ତରଫରୁ ମାଇକରେ ପ୍ରଚାର ହେଉଥିବା ସେ ଶୁଣିବାକୁ ପାଇଲେ। ବିଦ୍ୟୁତ କଟିଯିବା ଭୟରେ ନିଜ ବକେୟା ବିଲ୍ ଟଙ୍କା ଧରି ନେସ୍କୋ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଅଧିକାରୀମାନଙ୍କୁ ନିବେଦନ କରି କହିଥିଲେ ମୁଁ ଭିକାରି ଲୋକ, ମାଗିକି ଚଳେ। ମୋର ଯେତିକି ବିଲ୍ ହୋଇଛି କିଛି କମ୍ କରିଦେବାକୁ ଅନୁରୋଧ କରିଥିଲେ। ଏତିକିରେ ଅଧିକାରୀଙ୍କ ତରଫରୁ ତାଙ୍କ ବକେୟା ବିଲ୍ କିଛି କମାଇ ଦିଆଯାଇଥିଲା। ତେବେ କାର୍ତ୍ତିକଙ୍କ ଏଭଳି ପଦକ୍ଷେପକୁ ବିଦ୍ୟୁତ ବିଭାଗ ସମେତ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା। ବିଦ୍ୟୁତ୍ ବିଭାଗର ସିଓଓଙ୍କ ସହ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଜି ତାଙ୍କ ଘରକୁ ଯାଇ ଫୁଲତୋଡ଼ା ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ କିଛି ବିଦ୍ୟୁତ୍ ସରଞ୍ଜାମ ପ୍ରଦାନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us