ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି, ପଞ୍ଚାୟତସ୍ତରରେ ମଣ୍ଡି ବ୍ୟବସ୍ଥା ପାଇଁ ତେଜୁଛି ଦାବି

Advertisment
ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି, ପଞ୍ଚାୟତସ୍ତରରେ ମଣ୍ଡି ବ୍ୟବସ୍ଥା ପାଇଁ ତେଜୁଛି ଦାବି

କୁଆମରା: ଗୋପବନ୍ଧୁନଗର ବ୍ଲକ୍‌ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ୮୦ ପ୍ରତିଶତ ଲୋକ ଗରିବ ଓ ଖଟିଖିଆ ଶ୍ରେଣୀର। ଏମାନଙ୍କ ଜୀବନଜୀବିକା କୃଷି ଓ ଜଙ୍ଗଲ ସହ ଜଡ଼ିତ। ବର୍ଷର ୬ ମାସ କୃଷିକାର୍ଯ୍ୟ ପରେ ଆଉ ୬ ମାସ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଜଙ୍ଗଲରେ ମିଳୁଥିବା ମହୁଲ ଓ ଶାଳମଞ୍ଜି ଆଦି ସଂଗ୍ରହ କରି ଏହାକୁ ବଜାରରେ ବିକ୍ରି କରି ସଉଦାପତ୍ର କିଣନ୍ତି। ମାତ୍ର ପରିତାପର ବିଷୟ ବନଜାତ ଦ୍ରବ୍ୟରୁ ସେମାନେ ଯେତିକି ଅର୍ଥ ପାଇବା କଥା ତାହା ମିଳୁନି। ଫଳରେ ବର୍ଷ ବର୍ଷ ଧରି ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରୁନାହିଁ। ଏହାର ଏକ ମାତ୍ର କାରଣ ହେଲା, ସରକାର କିମ୍ବା ବନ ବିଭାଗ ପକ୍ଷରୁ ଏସବୁ ଦ୍ରବ୍ୟ କିଣିବାର କୌଣସି ସୁବିଧା ନାହିଁ। ଏହାର ସୁଯୋଗ ନେଇ ଗାଁ ଗହଳିରେ ବେପାରୀମାନେ କମ୍ ମୂଲ୍ୟରେ ସେମାନଙ୍କ ପାଖରୁ ସାମଗ୍ରୀ କିଣି ନେଇ ବାହାରେ ଅଧିକ ଦାମ୍‌ରେ ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ବନଜାତ ଦ୍ରବ୍ୟ କିଣିବା ପାଇଁ ସରକାର ପଞ୍ଚାୟତମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହେଲାନି। ଫଳରେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ। ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମହୁଲ ଓ ଶାଳ ମଞ୍ଜି ସଂଗ୍ରହ କରିଥିଲେ ଆଦିବାସୀ। ସେମାନଙ୍କ ଘ‌ରେ ଏହି ଦୁଇ ସାମଗ୍ରୀ ଏବେ ଗାଦି ହୋଇ ପଡ଼ିଥିବା ବେଳେ ଏହାର ବିକ୍ରି ହୋଇପାରୁନି। ତେଣୁ ଲଘୁ ବନଜାତ ଦ୍ରବ୍ୟ ବିକ୍ରି ପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିବାକୁ ରବୀନ୍ଦ୍ର ସିଂ, କୃପାସିନ୍ଧୁ ସିଂ, ଶ୍ୟାମ ସିଂ, ଜିତୁ ସିଂ, ବାସନ୍ତୀ ସିଂ, ହୀରାମଣି ସିଂ ପ୍ରମୁଖ ଦାବି ଜଣାଇଛନ୍ତି। ଏ ନେଇ ଫରେଷ୍ଟର କେ. ସରେନଙ୍କୁ ପଚାରିବାରୁ ସରକାର କିମ୍ବା ବିଭାଗ ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe