Times of India
ବାଲେଶ୍ବର: ଘରୋଇ ସ୍କୁଲ ଗୁଡ଼ିକରେ ପାଠ ପଢ଼ିବା ଗରିବଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବପ୍ନ ଥିଲା। ପୁଳାପୁଳା ଟଙ୍କା ଖର୍ଚ୍ଚ କରି ଭବିଷ୍ୟତ ଗଢ଼ିବା ଏମାନଙ୍କ ପାଇଁ ସମ୍ଭବ ହେଉନଥିବାରୁ ସରକାର ଶିକ୍ଷା ଅଧିକାର ଆଇନକୁ ଗୁରୁତ୍ବ ଦେଇଛନ୍ତି। ଏହି ଆଇନ୍ ଅନୁଯାୟୀ ଘରୋଇ ସ୍କୁଲ ଗୁଡ଼ିକରେ ଗରିବଶ୍ରେଣୀର ୪ରୁ ୧୪ ବର୍ଷର ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିପାରିବେ। ରାଜ୍ୟରେ ସରକାରୀ ମଞ୍ଜୁରିପ୍ରାପ୍ତ ସମସ୍ତ ଘରୋଇ ସ୍କୁଲ ଗୁଡ଼ିକ ୨୫ ପ୍ରତିଶତ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରିବାକୁ ୨୦୧୦ ମସିହାରୁ ନିୟମ ରହିଥିବା ବେଳେ କୌଣସି ସ୍କୁଲ କିନ୍ତୁ ଏହାକୁ ମାନୁନଥିଲେ। ଫଳରେ ଜିଲ୍ଲାରେ ଗରିବ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପଢ଼ିବାର ସୁଯୋଗ ପାଉନଥିଲେ। ନିକଟରେ ନିୟମ କଡ଼ାକଡ଼ି ହେବାରୁ ଜିଲ୍ଲାରେ ଏହି ଆଇନ୍ ବଳରେ ବହୁ ଗରିବ ଛାତ୍ରଛାତ୍ରୀ ଚଳିତବର୍ଷ ଘରୋଇ ସ୍କୁଲରେ ନାମଲେଖା ପାଇଁ ସୁଯୋଗ ପାଇଛନ୍ତି।
ନାମଲେଖା ପାଇଁ ଆର୍ଟିଇ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଥିଲା। ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ ଜରିଆରେ ଆବେଦନ କରିଥିଲେ। ରାଜ୍ୟରେ ୪୪୭୦ ଘରୋଇ ସ୍କୁଲ ଗୁଡ଼ିକରେ ୩୯୮୫୦ ସିଟ୍ ପାଇଁ ମୋଟ ୧୩୭୦୦ ଅନଲାଇନ୍ ଆବେଦନ କରାଯାଇଥିଲା ଓ ଓସେପା ହେଲପଲାଇନ୍ ନମ୍ବର ମାଧ୍ୟମରେ ୨୫୦୦ ଆବେଦନ କରାଯାଇଥିଲା ଏବଂ ଏଥିମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ଯାଞ୍ଚ୍ କରି ୧୦୪୫୭ ଆବେଦନପତ୍ରକୁ ଯୋଗ୍ୟ ବିବେଚିତ କରିଛନ୍ତି। ଯୋଗ୍ୟ ଆବେଦନପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଲଟେରି କରାଯାଇଥିଲା। ସେଥିମଧ୍ୟରୁ ୯୨୫୬ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲଟେରି ମାଧ୍ୟମରେ ଚୟନ କରାଯାଇଛି।
ବ୍ଲକ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଘରୋଇ ସ୍କୁଲ ଗୁଡ଼ିକ ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିଥିବା ବେଳେ ଏପ୍ରିଲ ୪ ତାରିଖରୁ ୩୦ ତାରିଖ ମଧ୍ୟରେ ନାମ ଲେଖାଯିବ। ଏହି ନାମଲେଖା ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସ୍କୁଲଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ। ଯଦି କୌଣସି ସ୍କୁଲ ନିୟମ ବିରୋଧୀ କାର୍ଯ୍ୟ କରନ୍ତି ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାର ୨୩୫ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଚୟନ ପାଇଁ ଘରୋଇ ସ୍କୁଲଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ମେ’ ମାସଠାରୁ ଆବେଦନ ଗ୍ରହଣ କରାଯିବ। ଆର୍ଟିଇ ପାରଦର୍ଶୀରେ ଜିଲ୍ଲାର ୩୩୯ଟି ଘରୋଇ ସ୍କୁଲ ପଞ୍ଜୀକରଣ କରିଛନ୍ତି। ବାହାନଗାରେ ୧୭ ସ୍କୁଲର ୨୪, ବାଲେଶ୍ବର ମ୍ୟୁନିସିପାଲଟିର ୨୯ ସ୍କୁଲରେ ୧୯, ବାଲିଆପାଳର ୨୫ ସ୍କୁଲରେ ୬, ବସ୍ତାରେ ୨୬ ସ୍କୁଲରେ ୨, ଜଳେଶ୍ବରରେ ୩୯ ସ୍କୁଲରେ ୧୭, ଖଇରାରେ ୨୯ ସ୍କୁଲରେ ୨୧, ନୀଳଗିରିରେ ୨୧ ସ୍କୁଲରେ ୮ ଜଣ, ଔପଦାରେ ୧୧ ସ୍କୁଲରେ ୩୦, ରେମୁଣାରେ ୩୪ ସ୍କୁଲରେ ୨୬, ସଦର ବ୍ଲକରେ ୨୭ ସ୍କୁଲରେ ୨୧, ସିମୁଳିଆରେ ୨୧ ସ୍କୁଲରେ ୨୧, ସୋରରେ ୨୮ ସ୍କୁଲରେ ୧୧ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଚୟନ କରାଯାଇଛି। ଭୋଗରାଇରେ ୩୨ ସ୍କୁଲ ରହିଥିବା ବେଳେ କେହି ନାମ ଲେଖାଇନାହାନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୬୫ ଜଣ ଛାତ୍ରଛାତ୍ରୀ ଉକ୍ତ ସ୍କୁଲ ଗୁଡ଼ିକରେ ନାମ ଲେଖାଇଥିବା ବେଳେ ବାକି ୧୭୦ ଛାତ୍ରଛାତ୍ରୀ ଆଗାମୀ ଦିନରେ ନାମ ଲେଖାଇବେ ବୋଲି ଜଣାଯାଇଛି।
Follow Us