ଓଡ଼ିଶାରେ ବନ୍ଦର ଭିତ୍ତିକ ଅଭିବୃଦ୍ଧି ଲକ୍ଷ୍ୟ ସାକାର ହେଉଛି

Advertisment
ଓଡ଼ିଶାରେ ବନ୍ଦର ଭିତ୍ତିକ ଅଭିବୃଦ୍ଧି ଲକ୍ଷ୍ୟ ସାକାର ହେଉଛି

Wikimedia Commons

ଭୁବନେଶ୍ୱର : ଓଡ଼ିଶାର ପୂର୍ବତଟରେ ବନ୍ଦର-ଭିତ୍ତିକ ଶିଳ୍ପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଏବେ ବାସ୍ତବ ରୂପ ନେଉଛି। ପାରାଦୀପ ବନ୍ଦର ସହିତ ଧାମରା ଓ ଗୋପାଳପୁର ବନ୍ଦରର ଦ୍ରୁତ ବିକାଶ ଏ ଦିଗରେ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ ଧାମରା ଓ ଗୋପାଳପୁର ବନ୍ଦରର ଅଗ୍ରଗତି ଏବଂ ଧାମରାଠାରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଥିଲା।

ଧାମରା ବନ୍ଦରର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବନ୍ଦର ପାଖାପାଖି ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ଦର ପାଖାପାଖି ଶିଳ୍ପ ଉପଯୋଗୀ ସ୍ଥାନରେ ଜମି ଅଧିଗ୍ରହଣ କରି ଶିଳ୍ପାଞ୍ଚଳ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ଥିବା ଇଡ୍‌କୋ ସିଏମ୍‌ଡିଙ୍କୁ କହିଥିଲେ। ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଜଣାଇଥିଲେ ଯେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ଧାମରା ବନ୍ଦର ରାଜ୍ୟ ସରକାରଙ୍କୁ ପ୍ରାୟ ୬୧୨ କୋଟି ଟଙ୍କାର ରାଜସ୍ୱ ଅଂଶ ଦେଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ମଧ୍ୟ ଗୋପାଳପୁର ବନ୍ଦରର ଅଗ୍ରଗତି ବିଷୟ ସମୀକ୍ଷା କରିଥିଲେ। ବର୍ତ୍ତମାନ ଗୋପାଳପୁରର ବନ୍ଦର ବାର୍ଷିକ ୫ ନିୟୁତ ଟନ୍ ଦ୍ରବ୍ୟ ରପ୍ତାନୀ ଓ ଆମଦାନୀ କରିଛି। ବନ୍ଦରକୁ ସଂଲଗ୍ନ କରୁଥିବା ରାସ୍ତାର ପ୍ରଶସ୍ତୀକରଣ, ବନ୍ଦର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକ ଜମି, ଧାମରାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ପ୍ରାକୃତିକ ପରିବେଶର ସନ୍ତୁଳନ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇ ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର, ଇଡ୍‌କୋର ସିଏମ୍‌ଡି ସଞ୍ଜୟ କୁମାର ସିଂହ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ଧାମରା ଓ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe