ଖଳାରେ ଗଦା ହେଉଛି ଅଧା ପାଚିଲା ଫସଲ, ଚାଷୀଙ୍କୁ ଘାରିଲାଣି ବାତ୍ୟା ଚିନ୍ତା

ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା

ଖଳାରେ ଗଦା ହେଉଛି ଅଧା ପାଚିଲା ଫସଲ, ଚାଷୀଙ୍କୁ ଘାରିଲାଣି ବାତ୍ୟା ଚିନ୍ତା

ରାୟଗଡ଼ା: ଅମଳକ୍ଷମ ହୋଇନି ଧାନ। କେଉଁଠି ଅଧା ତ, କେଉଁଠି ପାଚିବାକୁ ଆହୁରି ୧୫ ଦିନ ଲାଗିପାରେ। ହେଲେ ସମ୍ଭାବ୍ୟ ବାତ୍ୟା ଭୟରେ ଅଧା ପାଚିଲା ଧାନକୁ କାଟି ଖଳାରେ ଗଦା କରିବାରେ ଲାଗି ପଡିଛି ଚାଷୀ। ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଅପେକ୍ଷା ଅଧା ପାଚିଲା ଧାନକୁ ବିକ୍ରି କିଛି ଋଣ ଭରଣା କରିବା ସହ ବିହନ ବଞ୍ଚାଇବାକୁ ଆଶା ବାନ୍ଧିଥିବା କହିଛନ୍ତି ଚାଷୀ।

ଜିଲ୍ଲାର ରାୟଗଡ଼ା, କୋଲନରା, ପଦ୍ମପୁର ବ୍ଲକ ଅଞ୍ଚଳର ଚାଷୀ ବାତ୍ୟା ଭୟରେ ଏବେ ଧାନ କାଟିବାରେ ଲାଗି ପଡିଛନ୍ତି। ସାନ ଧାନ ଅମଳ ହେବାକୁ ଶହେ ଦିନ ଲାଗୁଥିବା ବେଳେ ବଡ଼ ଧାନ ୧୫୦ରୁ ୧୬୦ ଦିନ ନେଉଛି। ଖାଲୁଆ ଅଞ୍ଚଳରେ ଥିବା ଜମିରେ ସାନ ଧାନ ପାଚି ଆସିବା ସହ ବଡ଼ ଧାନ ଅଧା ପାଚିଛି। କିନ୍ତୁ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଖାଲୁଆ ଜମିରେ ପାଣି ଜମି ରହି ଧାନ ପଚିବା ଭୟରେ ଚାଷୀ କାଟି ନେଉଛନ୍ତି। କୋଲନରା ବ୍ଲକର ମାଳିଗାଁ, ମନ୍ତ୍ରଝୋଲି, ପଦ୍ମପୁର ବ୍ଲକର ପେରୁପାଙ୍ଗ, ରାଉତରଙ୍ଗାରେ ଚାଷୀ ଅଧା ପାଚିଲା ଧାନକୁ କାଟୁଥିବା ଦେଖିବାକୁ ମିଳିଛି। ଏଥି ସହିତ ଅନ୍ୟ କିଛି ଅଞ୍ଚଳରେ ଚାଷୀ ତରବରିଆ ଭାବେ ଧାନ କାଟି ଖଳାକୁ ବୋହି ଆଣୁଛନ୍ତି। ଆଉ ଦୁଇ ସପ୍ତାହ ପରେ ଉନ୍ନତମାନର ଧାନ ଅମଳ ହେବାକୁ ଥିଲେ ମଧ୍ୟ ବାତ୍ୟା ଭୟ ଚାଷୀ ମନରେ ଛନକା ପଶାଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାକୁ ନେଇ ସ୍ପଷ୍ଟ ସୂଚନା ଦେବା ପରେ ଜିଲ୍ଲା କୃଷି ବିଭାଗ ଧାନ ଫସଲର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀଙ୍କୁ ସତର୍କ କରିଛି। ବିଭାଗ ପକ୍ଷରୁ ଅଡ଼ିଓ ମେସଜ୍ ଜାରି କରାଯାଇ ରାୟଗଡ଼ା, ମୁନିଗୁଡ଼ା, ଗୁଣପୁର କୃଷି ଜିଲ୍ଲାର ଚାଷୀଙ୍କୁ ସଚେତନ କରାଯାଇଛି। ଚଳିତ ଖରିଫ୍ ଋତୁରେ ଜିଲ୍ଲାର ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ଥିବା ବେଳେ ୪୬ ହଜାର ୬୩୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଆଜି ସୁଦ୍ଧା ୨୦ରୁ ୨୫ ପ୍ରତିଶତ ଅମଳ ସରିଥିବା ବେଳେ ୭୫ ପ୍ରତିଶତ ଧାନ ଅମଳ ହୋଇନି। ଧାନ ଅମଳ ବିଳମ୍ବ ଥିବାରୁ ଚଳିତ ବର୍ଷ ଜିଲ୍ଲାରେ ମଣ୍ଡି ମଧ୍ୟ ଆରମ୍ଭ ହୋଇନି। ଅନ୍ୟପକ୍ଷରେ ନଭେମ୍ବର ଦ୍ବିତୀୟ ସପ୍ତାହରେ ଲଘୁଚାପ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବା ଯୋଗୁ ମଧ୍ୟ କିଛି ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଥିଲା।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଆଣ୍ଡାମାନ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହୋଇ ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପଦେଶ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ବାତ୍ୟା ପ୍ରଭାବରେ ୩ ତାରିଖରୁ ବର୍ଷା ଲାଗି ରହିବା ସହ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ବହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe