ମଙ୍ଗଳପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: ଘରକୁ ପୁଲିସ ଆସିବାରୁ ହୃଦ୍‌ଘାତରେ ମୃତ୍ୟୁ

Advertisment

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ମଙ୍ଗଳପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: ଘରକୁ ପୁଲିସ ଆସିବାରୁ ହୃଦ୍‌ଘାତରେ ମୃତ୍ୟୁ

ଦଶରଥପୁର: ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। କିନ୍ତୁ ଦଶରଥପୁର ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ବିବାଦ ଥମିନି। ଏଭଳି ରାଜନୈତିକ ବିବାଦରୁ ଘରେ ପୁଲିସ ପହଞ୍ଚିବାରୁ ହୃଦ୍‌ଘାତରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ମଙ୍ଗଳପୁର ପଞ୍ଚାୟତ କର୍ଣ୍ଣଦାଣ୍ଡି ଗ୍ରାମର ବିଷ୍ଣୁ ଚରଣ ରାଉତ (୭୦)। ସେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରି ଅବସର ନେଇଥିଲେ। କିଛି ଦିନି ହେବ ସେ ରୋଗଗ୍ରସ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ।

ଚଳିତ ସାଧାରଣ ନିର୍ବାଚନରେ ବିଷ୍ଣୁ ଚରଣ ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କୁ ସମର୍ଥନ କରୁଥିଲେ। ଏହି କାରଣରୁ ନିର୍ବାଚନ ସମୟରେ ବିଜେଡିର ସମର୍ଥକ ତାଙ୍କୁ ବାରମ୍ବାର ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ। ଏଥିପାଇଁ କ୍ଷତି ସହିବାକୁ ପଡ଼ିବ ବୋଲି ଚେତାବନୀ ଦେଉଥିଲେ। ଗତ ୧୬ ତାରିଖ ଦିନ କିଛି ଯୁବକ ବିଷ୍ଣୁ ଚରଣଙ୍କ ଘର ସମ୍ମୁଖରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାରୁ ତାଙ୍କ ପୁଅ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଠେଲାପେଲା ମଧ୍ୟ ହୋଇଥିଲା।

ଏ ସଂପର୍କରେ ବିଷ୍ଣୁ ରାଉତଙ୍କ ପକ୍ଷରୁ ସେହି ରାତିରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତିକରି ପୁଲିସ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲା। ପରେ ତାକୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ଅନ୍ୟପଟେ ଅଭିଯୁକ୍ତଙ୍କ ପକ୍ଷରୁ ବିଷ୍ଣୁ ରାଉତ ଓ ତାଙ୍କ ପୁଅ ନାମରେ ପରଦିନ ଥାନାରେ ପାଲଟା ଅଭିଯୋଗ ହୋଇଥିଲା।
ଦ୍ବିତୀୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ବିଷ୍ଣୁ ରାଉତଙ୍କ ଘରକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲା। ସେ ଘରେ ନଥିବାରୁ ତାଙ୍କୁ ଥାନାରେ ପହଞ୍ଚିବାକୁ ପରିବାର ଲୋକଙ୍କୁ କହି ଯାଇଥିଲେ। ଘରକୁ ପୁଲିସ ଆସିଥିବା ଶୁଣି ବିଷ୍ଣୁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଗତକାଲି ରାତିରେ ପୁନର୍ବାର ମଙ୍ଗଳପୁର ପୁଲିସ ପିସିଆର ଭ୍ୟାନ୍‌ ଧରି ବିଷ୍ଣୁଙ୍କ ଘରେ ପହଞ୍ଚିଥିଲା। ପୁଲିସକୁ ଦେଖି ବିଷ୍ଣୁ ଚେତାଶୂନ୍ୟ ହୋଇ ସେଠାରେ ପଡ଼ିଯାଇଥିଲେ।

ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ମଙ୍ଗଳପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଖବର ଜଣାପଡ଼ିବା ପରେ ଗ୍ରାମରେ ଶତାଧିକ ଲୋକ ଏକାଠି ହୋଇ ବିଷ୍ଣୁଙ୍କ ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରିଥିଲେ। ପରିବାର ଲୋକେ ତାଙ୍କ ସ୍ୱାସ୍ଥାବ୍ୟସ୍ଥା ସଂପର୍କରେ ଅବଗତ କରିଥିଲେ ମଧ୍ୟ ପୁଲିସ ବାରମ୍ବାର ତାଙ୍କ ଘରକୁ ଆସିବାରୁ ହୃଦ୍‌ଘାତ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଖବର ପାଇ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଉପସଭାପତି ସଂଜୟ ନାୟକ, ୬ ନମ୍ବର ଜୋନ୍ ସଭାପତି ଅଧର ଧଳ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁବାସ ମହାନ୍ତି, ବରିଷ୍ଠ ନେତା ରମେଶ ସାମଲ, ଯୁବମୋର୍ଚ୍ଚା ସଂପାଦକ ସତ୍ୟଜିତ ସାମଲ, ବିଜେପି ନେତା ପ୍ରମୋଦ ପଣ୍ଡା, ଅଭିମନ୍ୟୁ ମହାନ୍ତି, ପ୍ରଦୀପ କୁମାର ମହାପାତ୍ର, ସଂଜୟ ରାୟ, ବିଶ୍ୱଜିତ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି। ବିଷ୍ଣୁଙ୍କ ଅସ୍ୱାଭାବିକ ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏ ବିଷୟରେ ମଙ୍ଗଳପୁର ଥାନା ଅଧିକାରୀ ଚିନ୍ମୟୀ ସାହୁ କହିଥିଲେ, ନିର୍ବାଚନ ସଂପର୍କିତ ଅଭିଯୋଗ ହୋଇଥିବାରୁ ତାଙ୍କ ଘରକୁ ଥାନା ଗାଡ଼ି ପଠାଯାଇଥିଲା। ତାଙ୍କ ଆକସ୍ମିକ ମୃତ୍ୟୁରେ ପୁଲିସର କୌଣସି ଭୁଲ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe