୧୫ ଦିନ ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମୀଣ ଡାକ ସେବକ : ଆଜିଠୁ ସ୍ୱାଭାବିକ ହେବ ଡାକସେବା

Advertisment
୧୫ ଦିନ ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମୀଣ ଡାକ ସେବକ : ଆଜିଠୁ ସ୍ୱାଭାବିକ ହେବ ଡାକସେବା

ଭୁବନେଶ୍ୱର : ୧୫ ଦିନ ପରେ ସ୍ୱାଭାବିକ ହେବାକୁ ଯାଉଛି ଡାକସେବା। ଗତ ମେ’ ୨୨ରୁ ଅଲ୍‌ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍‌ ୟୁନିୟନ୍‌-ଗ୍ରାମୀଣ ଡାକ ସେବକ, ଅଲ୍‌ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ୟୁନିଅନ୍‌, ନ୍ୟାସ୍‌ନାଲ ୟୁନିଅନ୍‌ ଅଫ୍‌ ଗ୍ର୍ରାମୀଣ ଡାକ ସେବକ, ଅଲ୍‌ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍‌ ୟୁନିଅନ୍‌-ପୋଷ୍ଟମ୍ୟାନ୍‌ ଓ ଏମ୍‌ଟିଏସ୍‌(ଏଆଇପିଇୟୁ-ପିଏମ୍‌) ଡାକରାରେ ସାରା ଦେଶର ଗ୍ରାମୀଣ ଡାକ ସେବକ (ଜିଡିଏସ୍‌)ମାନେ ଆନ୍ଦୋଳନ କରିଥିବାରୁ ତାହାର ପ୍ରଭାବ ଓଡ଼ିଶାରେ ପଡ଼ିଥିଲା। ୧୫ ଦିନ ହେଲା ଡାକଘରେ ଚିଠି ପଡ଼ି ରହିଥିଲା। ଯେଉଁଥିପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ଯେ ଜିଡିଏସ୍‌ମାନଙ୍କ ପାଇଁ କମଳେସ୍‌ ଚନ୍ଦ୍ର କମିଟି ରିପୋର୍ଟ ତୁରନ୍ତ ଲାଗୁ କରାଯାଉ। ମଜୁରୀ ସଂଶୋଧନ କରାଯାଇ ୨୦୧୬ ଜାନୁଆରି ୧ରୁ ପ୍ରଦାନ, ଖାଲିଥିବା ସମସ୍ତ ପଦବି ପୂରଣ, ନୂତନ ପେନ୍‌ସନ ବ୍ୟବସ୍ଥା ଉଚ୍ଛେଦ ସହ ଡାକ ବିଭାଗର କାମକୁ ବହିଃକରଣରୁ ବାଦ୍‌ ଦେବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବାକୁ ଦାବି କରାଯାଇଥିଲା।

୧୫ ଦିନର ଆନ୍ଦୋଳନ ପରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଜିଡିଏସ୍‌ମାନଙ୍କ ଦରମା ବୃଦ୍ଧି ନିଷ୍ପତ୍ତିରେ ମୋହର ଲଗାଯାଇଛି। ଏହାଦ୍ୱାରା ଦେଶର ୩ ଲକ୍ଷ ୭ ହଜାର ଜିଡିଏସ୍‌ ଉପକୃତ ହେବେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ସଙ୍ଗଠନଗୁଡ଼ିକ ଆନ୍ଦୋଳନରୁ ଓହରିଥିବା ଜଣାପଡ଼ିଛି। ଗୁରୁବାରଠାରୁ ପୁଣିଥରେ କାର୍ଯ୍ୟ ଯୋଗଦେବେ।

ଓଡ଼ିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଡ. ସନ୍ତୋଷ କୁମାର କମିଳା କହିଛନ୍ତି ଯେ ରାଜ୍ୟର ୭୦୦୮ଟି ଶାଖା ଡାକଘର ମଧ୍ୟରୁ ପାଖାପାଖି ୬୮୦୦ ପ୍ରଭାବିତ ହୋଇଥିଲା। କମଳେସ୍‌ ଚନ୍ଦ୍ର କମିଟି ରିପୋର୍ଟ ଲାଗୁ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିବାରୁ ଆସନ୍ତାକାଲିଠାରୁ ପୁଣିଥରେ ଡାକ ସେବା ସ୍ୱାଭାବିକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe