ଅଦାଲତ ଅବମାନନା: ବଲାଙ୍ଗୀର ଡାକ ଅଧୀକ୍ଷକ ଗିରଫ

Advertisment
ଅଦାଲତ ଅବମାନନା: ବଲାଙ୍ଗୀର ଡାକ ଅଧୀକ୍ଷକ ଗିରଫ

ବଲାଙ୍ଗୀର : କୋର୍ଟ ନିର୍ଦେଶକୁ ଅବମାନନା କରିବାରୁ ବଲାଙ୍ଗୀର ଡାକ ଅଧୀକ୍ଷକ ଦେବୀପ୍ରସାଦ ନାଏକଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି।

ପ୍ରକାଶ ଯେ, ତୁଷରାର ଛଗନଲାଲ ଜୈନ ଓ ଜମ୍ବୁକୁମାର ଜୈନ ପୋଷ୍ଟ ଅଫିସରୁ କେତୋଟି ଇନ୍ଦିରା ବିକାଶ ପତ୍ର କିଣିଥିଲେ। ସେମାନଙ୍କର ସେହି ଆଇବିପି ପତ୍ର ମାଚ୍ୟୁରିଟି ପାଇଲା ବେଳକୁ ତାଙ୍କର ବଣ୍ଡ ହଜି ଯାଇଥିବା ଜଣାଯାଇଥିଲା। ମାଚ୍ୟୁରିଟି ବାବଦକୁ ଛଗନଲାଲ ୧୮ଲକ୍ଷ ଓ ଜମ୍ବୁକୁମାର ୮ଲକ୍ଷ ଟଙ୍କା ପାଇବାର ଥିଲା। କିନ୍ତୁ ପୋଷ୍ଟାଲ ଅଧିକାରୀ ତାଙ୍କ ମ୍ୟାଚ୍ୟୁରିଟି ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏ ବିଷୟରେ ସେମାନେ ଦୁହେଁ ବଲାଙ୍ଗୀର ପୋଷ୍ଟାଲ ଅଧୀକ୍ଷକଙ୍କ ପାଖରେ ଆବେଦନ କରିଥିଲେ। କିନ୍ତୁ ସେ ଏହାକୁ ଖାରଜ କରିଦେଇ ବିନା ବଣ୍ଡରେ କୌଣସି ଟଙ୍କା ଦିଆଯିବ ନାହିଁ ବୋଲି କହିଥିଲେ। ଶ୍ରୀ ଜୈନ ଜିଲ୍ଲା ଖାଉଟି ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଜିଲ୍ଲା ଖାଉଟି ଫୋରମ ଏହାର ବିଚାର କରି ସଂପୃକ୍ତ ଦୁଇଜଣଙ୍କୁ ତୁରନ୍ତ ତାଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଯେତେ ଦିନ ବିଳମ୍ବ ହେବ ସେତେଦିନର ୨୦ଟଙ୍କା ଆକାରରେ ସୁଧ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା କୋର୍ଟର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଡାକ ବିଭାଗ ଷ୍ଟେଟ ଫୋରମକୁ ଯାଇ ଆବେଦନ କରିଥିଲେ। ସେଠାରେ ମଧ୍ୟ ଡାକ ବିଭାଗ ହାରି ଯାଇଥିଲା ଓ ଶେଷରେ ନେସନାଲ ଫୋରମକୁ ଯାଇ ଆବେଦନ କରିଥିଲେ। କିନ୍ତୁ ସେଠାରେ ମଧ୍ୟ ଗ୍ରାହକ ଛଗନଲାଲ ଓ ଜମ୍ବୁ କୁମାରଙ୍କ ସପକ୍ଷରେ ମାମଲା ଯାଇଥିଲା। ଉଭୟଙ୍କୁ ତୁରନ୍ତ ତାଙ୍କର ପ୍ରାପ୍ୟ ଦେଇ ଦେବାକୁ ନେସନାଲ ଫୋରମ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମଧ୍ୟ ଡାକ ବିଭାଗ ନମାନିବାରୁ ଓକିଲ ଭବାନୀଶଙ୍କର ଶତପଥୀ ଏକ୍‌ଜିକ୍ୟୁସନ କେସ କରିଥିଲେ। ଏପରିକି କୋର୍ଟରେ ଅଣ୍ଡରଟେକିଂ ଲେଖିଦେଇ ମଧ୍ୟ ପୋଷ୍ଟାଲ ବିଭାଗ ତାହାକୁ କାର୍ଯ୍ୟକାରୀ କରୁ ନଥିଲା। ଶେଷରେ ଅଦାଲତ ଅବମାନନା ଅଭିଯୋଗରେ ପୋଷ୍ଟାଲ ଅଧୀକ୍ଷକଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ ମାନ୍ୟବର କୋର୍ଟ। କୋର୍ଟ ନିର୍ଦ୍ଦେଶ ବଳରେ ଶୁକ୍ରବାର ଟାଉନ ଥାନା ପୁଲିସ ଅଧୀକ୍ଷକ ଶ୍ରୀ ନାଏକଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାର ବିଚାର କରି ଗ୍ରାହକଙ୍କୁ ତୁରନ୍ତ ୪ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ପୋଷ୍ଟାଲ ଅଧୀକ୍ଷକଙ୍କୁ ମାସେ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅବଶ୍ୟ ଦଣ୍ଡାଦେଶ ପରେ ଶ୍ରୀ ନାଏକଙ୍କୁ ଜାମିନରେ ଛାଡ଼ି ମାସେ ମଧ୍ୟରେ ଉପର କୋର୍ଟରେ ଆବେଦନର ସୁ‌େଯାଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe