ଓଡ଼ିଶାରେ ଦୂର ହେବ ଆଳୁ ସଂକଟ: ଯୋଗାଣ ପାଇଁ ସବୁଜ ସଂକେତ ଦେଲେ ମମତା

Advertisment

ହରତାଳ ପରେ ପଶ୍ଚିମବଙ୍ଗ ସରକାରଙ୍କ ଚେତା ପଶିଲା

ହରତାଳ ପରେ ପଶ୍ଚିମବଙ୍ଗ ସରକାରଙ୍କ ଚେତା ପଶିଲା

ଓଡ଼ିଶାରେ ଦୂର ହେବ ଆଳୁ ସଂକଟ: ଯୋଗାଣ ପାଇଁ ସବୁଜ ସଂକେତ ଦେଲେ ମମତା

ଚନ୍ଦନେଶ୍ୱର: ଓଡ଼ିଶାରେ ମାସାଧିକ କାଳ ହେବ ଲାଗି ରହିଥିବା ଆଳୁ ସଂକଟ ଦୂର ହେବାକୁ ଯାଉଛି। ଦୁଇଦିନ ଧରି ଧର୍ମଘଟ ପରେ ଆଜି ଆନ୍ଦୋଳନକାରୀ ଚାଷୀ, ଶୀତଳଭଣ୍ଡାର ମାଲିକମାନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥା ହୋଇଛନ୍ତି। ତୁରନ୍ତ ଓଡ଼ିଶାକୁ ଆଳୁ ଯୋଗାଣ ପାଇଁ ସବୁଜ ସଂକେତ ଦେଇଥିବା ଜଣାପଡ଼ିଛି।
ଗତ ଏକ ମାସରୁ ଅଧିକ ହେବ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଥିଲା। ପଶ୍ଚିମବଙ୍ଗ ସରକାର ରାଜ୍ୟରୁ ଆଳୁ ଯୋଗାଣ ଉପରେ କଟକଣା ଜାରି କରିଥିଲେ। ଏମିତି କି ଚୋରା ବାଟରେ ଯୋଗାଣ ରୋକିବାକୁ ବିଭିନ୍ନ ତନଖିଫାଟକ ଓ ଗ୍ରାମାଞ୍ଚଳ ରାସ୍ତାରେ ସିସି କ୍ୟାମେରା ଲଗାଯାଇଥିଲା।

ହରତାଳ ପରେ ପଶ୍ଚିମବଙ୍ଗ ସରକାରଙ୍କ ଚେତା ପଶିଲା
ଚାଷୀ ଓ ଶୀତଳଭଣ୍ଡାର ମାଲିକଙ୍କ ସହ ଆଲୋଚନା
୭ ଦିନ ମଧ୍ୟରେ ଆସିବ ୨ ଲକ୍ଷ ମେଟ୍ରିକ୍‌ ଟନ୍‌
ବ୍ୟବସ୍ଥାକୁ ସୁଗମ କରିବ ସ୍ଥାନୀୟ ପୁଲିସ

ଏହି କାରଣରୁ ଓଡ଼ିଶାରେ ଆଳୁ ଦର ବୃଦ୍ଧିକୁ ନେଇ ଲୋକେ ଯେତିକି ଅତିଷ୍ଠ ହେଉଥିଲେ, ଟ୍ରକ୍‌ରେ ଲଦାଥିବା ଓ ଶୀତଳଭଣ୍ଡାରରେ ଗଚ୍ଛିତ ଆଳୁ ପଚିବା ଯୋଗୁଁ ପଶ୍ଚିମବଙ୍ଗ ଚାଷୀ ଓ ଶୀତଳଭଣ୍ଡାର ମାଲିକମାନେ ସେତିକି କ୍ଷତିଗ୍ରସ୍ତ ହେଉଥିଲେ। ଫଳରେ ପଶ୍ଚିମବଙ୍ଗର ଆଳୁ ଉତ୍ପାଦନକାରୀ ପ୍ରମୁଖ ଜିଲ୍ଲା; ତାରକେଶ୍ୱର, ବର୍ଦ୍ଧମାନ ଓ ମେଦିନୀପୁରର ଚାଷୀ ଏବଂ କେଲାପଡ଼ା, ତ୍ରିଡ଼ଙ୍ଗୀ, ଘୁଡୁଙ୍ଗ, ଚନ୍ଦ୍ରକଣା, ଗଡ଼ବେତା ପ୍ରଭୃତି ଶୀତଳଭଣ୍ଡାରର ମାଲିକମାନେ ସରକାରୀ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଦୁଇଦିନ ଧରି ଧର୍ମଘଟ କରିଥିଲେ। ଯାହାର ପ୍ରଭାବ ପଶ୍ଚିମବଙ୍ଗର ଗମନାଗମନ ଓ ଆଳୁ ବଜାର ଉପରେ ପଡ଼ିଥିଲା। ତେଣୁ ବାଧ୍ୟହୋଇ ଆଜି ସଂଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନଠାରେ ପଶ୍ଚିମବଙ୍ଗ ପଞ୍ଚାୟତରାଜି ମନ୍ତ୍ରୀ ପ୍ରଦୀପ ମାନ୍ନା ଓ ମୁଖ୍ୟ ଶାସନ ସଚିବ ପିଭି ଗଏଲଙ୍କୁ ନେଇ ୪୫ ମିନିଟ୍‌ର ଏକ ବୈଠକ କରିଥିଲେ। ଏହାପରେ ଆନ୍ଦୋଳନକାରୀ ଚାଷୀ ଓ ଶୀତଳଭଣ୍ଡାର ମାଲିକମାନଙ୍କ ସହ ଆଲୋଚନା ହୋଇଛି। ଓଡ଼ିଶାକୁ ଆଳୁ ଯୋଗାଇବା ନେଇ ସବୁଜ ସଂକେତ ଦିଆଯାଇଥିବା ଜଣାପଡ଼ିଛି।

ଏନେଇ ବର୍ଦ୍ଧମାନ ପ୍ରଗତିଶୀଳ ଆଳୁ ଯୋଗାଣ ସଂସ୍ଥାର ସଭାପତି ଲାଲୁ ମୁଖାର୍ଜୀ ଓ କୋଷାଧ୍ୟକ୍ଷ ଅମିୟ ବାଇରୀ ‘ସମ୍ବାଦ’କୁ କହିଛନ୍ତି; ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଳୁ ସମସ୍ୟାର ଆପାତତଃ ସମାଧାନ ହୋଇଛି। ୭ ଦିନ ମଧ୍ୟରେ ଓଡ଼ିଶାକୁ ୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ରପ୍ତାନି ହେବ। କେବଳ ସେତିକି ନୁହେଁ, ରତ୍ପାନି ସମୟରେ ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନ ହେବା, ସେନେଇ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe