ପୋତି ହେଉଛି ବାଙ୍କସାଲ ଡ୍ୟାମ: ୪୩ ବର୍ଷ ତଳେ ନିର୍ମିତ ହୋଇଥିଲା, ଜଳଧାରଣ କ୍ଷମତା ହ୍ରାସ ପାଉଛି

ପୋତି ହେଉଛି ବାଙ୍କସାଲ ଡ୍ୟାମ: ୪୩ ବର୍ଷ ତଳେ ନିର୍ମିତ ହୋଇଥିଲା, ଜଳଧାରଣ କ୍ଷମତା ହ୍ରାସ ପାଉଛି

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ନିକଟସ୍ଥ ସୁଦବଲଣ୍ଡା ଗାଁ ନିକଟ ବାଙ୍କସାଲ ଡ୍ୟାମ୍ ଧୀରେଧୀରେ ପୋତି ହେବାକୁ ବସିଲାଣି। ୧୯୮୧ ମସିହାରେ ଗୁଣ୍ଡୁରୁଚୁଆଁ ଅଞ୍ଚଳରେ ଜଳସେଚନ ଲକ୍ଷ୍ୟନେଇ ବାଙ୍କସାଲ ଡ୍ୟାମ୍ ନିର୍ମିତ ହୋଇଥିଲା। ଲକ୍ଷ୍ୟଥିଲା ଖରିଫ ଋତୁରେ ୧୫୭୧.୧୮ ହେକ୍ଟର ଚାଷ ଜମି ଓ ରବି ଋତୁରେ ୧୪୯.୬ ହେକ୍ଟର ଜମି ଜଳସେଚନ କରାଯିବ। ୪୩ ବର୍ଷ ତଳେ ନିର୍ମିତ ୧୪.୩୧ ମିଟର ଗଭୀରର ଏହି ଡ୍ୟାମ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ କୁଚିଣ୍ଡା କ୍ଷୁଦ୍ର ଜଳସେଚନ ବିଭାଗ ହାତରେ ରହିଛି। ମାତ୍ର, ବାସ୍ତବକ୍ଷେତ୍ରରେ ରକ୍ଷଣାବେକ୍ଷଣ କରାଯାଇନାହିଁ। ଯେଉଁଥିପାଇଁ ଏହି ଡ୍ୟାମ୍‌ ପୋତିହେବା ସହିତ ଏହାର ଜଳଧାରଣ କ୍ଷମତା ବି ହ୍ରାସ ପାଇଛି। ଫଳରେ, ଏହାର ସିଧାସଳଖ ପ୍ରଭାବ କୃଷିକାର୍ଯ୍ୟ ଉପରେ ପଡ଼ିଛି। ପୂର୍ବରୁ ଯେଉଁ ଜମିରେ ଧାନ ଓ ପନିପରିବା ଚାଷ ହେଉଥିଲା, ଏବେ ସେଥିମଧ୍ୟରୁ ଅଧିକାଂଶ ଜମି ପଡ଼ିଆ ପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖି ଡ୍ୟାମ୍‌ରୁ ପ‌ଙ୍କୋଦ୍ଧାର ସହିତ ଏହାର ଜଳଧାରଣ କ୍ଷମତା ବଢାଇବାକୁ ଅଂଚଳବାସୀ ବହୁବର୍ଷ ହେଲା ଦାବି ହୋଇଆସୁଛି। ମାତ୍ର, ସରକାରୀ ସ୍ତରରେ ଏଥିପାଇଁ ଉଦ୍ୟମ କରାଯାଇ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ ଚାଷୀନେତା ଦୁଷ୍ମନ୍ତ ନାୟକ କହିଛନ୍ତି, ଆଗରୁ ଯେତିକି ଜମିକୁ ଏହି ଡ୍ୟାମର ପାଣି ମାଡୁଥିଲା, ଏବେ ତାହା ବହୁ ପରିମାଣରେ କମି ଯାଇଛି। ସେହିପରି, ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ କିଶୋର ଦେହୁରୀ ଓ ସନ୍ତୋଷ ପଟେଲ ଡ୍ୟାମର ଗଭୀରତା ବୃଦ୍ଧି ସହିତ ଏଠାରେ ମାଛ ଚାଷ ବ୍ୟବସ୍ଥା କରିବା ସହିତ ଡ୍ୟାମ ତଳେ ଏକ ସୁନ୍ଦର ପାର୍କ ନିର୍ମାଣ ସହିତ ପର୍ଯ୍ୟଟନ ବିକାଶ ହୋଇପାରନ୍ତା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe