କୁଡ଼ୁଆ ସଂକଟ ଦୂର ପାଇଁ ବାଟ ଫିଟିଲା : ସହଯୋଗର ହାତ ବଢ଼ାଇଲେ କୁମ୍ଭକାର ସେବକ, ଶ୍ରୀମନ୍ଦିରକୁ ଦେଲେ ୧୦ ବେତା କୁଡ଼ୁଆ

Advertisment
କୁଡ଼ୁଆ ସଂକଟ ଦୂର ପାଇଁ ବାଟ ଫିଟିଲା : ସହଯୋଗର ହାତ ବଢ଼ାଇଲେ କୁମ୍ଭକାର ସେବକ, ଶ୍ରୀମନ୍ଦିରକୁ ଦେଲେ ୧୦ ବେତା କୁଡ଼ୁଆ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ କୁମ୍ଭକାର ସେବକ ଶ୍ରୀମନ୍ଦିରରେ କୁଡ଼ୁଆ ସଂକଟ ଦୂର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀମନ୍ଦିର ତଥା ମହାପ୍ରଭୁଙ୍କ ସେବା ପାଇଁ ଆଗେଇ ଆସିଛନ୍ତି। ‘ଫନି’ ପରେ ଆଜି ପ୍ରଥମ ଥର ପାଇଁ କୁମ୍ଭକାର ସେବକମାନେ ନୂଆକରି ପ୍ରସ୍ତୁତ କରିଥିବା ୧୦ ବେତା କୁଡ଼ୁଆ ଶ୍ରୀମନ୍ଦିରକୁ ପଠାଇଛନ୍ତି। ପରବର୍ତୀ ପର୍ଯ୍ୟାୟରେ ବାକି ଆବଶ୍ୟକ କୁଡ଼ୁଆ ବି ଯୋଗାଇ ଦିଆଯିବ ବୋଲି କୁମ୍ଭକାର ନିଯୋଗ କହିଛି। ଅନ୍ୟପଟେ କୁମ୍ଭକାର ନିଯୋଗ ଆଜି ଏକ ଜରୁରୀକାଳୀନ ବୈଠକ ଡାକି ପ୍ରତି କୁମ୍ଭକାର ସଦସ୍ୟଙ୍କୁ ୨ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବ ବୋଲି ଘୋଷଣା କରିଛି।

ପୁରୀର କୁମ୍ଭାରପଡ଼ା, ଚନ୍ଦନପୁର, ସାକ୍ଷୀଗୋପାଳ, ବ୍ରହ୍ମଗିରି ଆଦି ଅଞ୍ଚଳର କୁମ୍ଭକାରମାନେ ଶ୍ରୀମନ୍ଦିରକୁ କୁଡ଼ୁଆ ଯୋଗାଇ ଆସୁଛନ୍ତି। ଦୈନିକ ୧୦୦ ବେତା କୁଡ଼ୁଆ ଏମାନେ ଶ୍ରୀମନ୍ଦିରକୁ ପଠାଉଥିଲେ। କିନ୍ତୁ ଫନି କୁମ୍ଭକାରମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଘରଦ୍ବାର ତ’ ଉଡ଼ାଇଛି, ତା’ ସହିତ କୁଡ଼ୁଆ ତିଆରି ଚକା ବି ଭାଙ୍ଗିଦେଇଛି। ଏହି ପ୍ରତିକୂଳ ପରିସ୍ଥିତିରେ କୁମ୍ଭକାରମାନେ ଶ୍ରୀମନ୍ଦିରକୁ ଆଉ କୁକୁଆ ଯୋଗାଇ ପାରିବେନି ବୋଲି ଅସହାୟତା ପ୍ରକାଶ କରିଥିଲେ। ଏହାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ଏ ନେଇ ଶ୍ରୀମନ୍ଦିର କୁମ୍ଭକାର ନିଯୋଗ ବୈଠକ ଡାକି ଏହି ସମସ୍ୟାର ସମାଧାନ ଉଦ୍ୟମ ଆରମ୍ଭ କରିଛି। ନିଯୋଗ ଅନ୍ତର୍ଭୁକ୍ତ ୯୭ କୁମ୍ଭକାରଙ୍କୁ ପରିବାର ପିଛା ୨ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛି। ସେପଟେ ପ୍ରଶାସନ ପ୍ରତିଶ୍ରୁତି ଦେଇଛି କି ଯଥାଶୀଘ୍ର ବିପନ୍ନଙ୍କ ଘରଦ୍ବାର ଅନୁଧ୍ୟାନ କରିବେ। କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ। ଏଣୁ ପ୍ରତିକୂଳ ପରିସ୍ଥିତି ସ‌ତ୍ବେ ଆବଶ୍ୟକ ‌କୁଡ଼ୁଆ ଯୋଗାଇ ଦେବାକୁ ନିଯୋଗ କହିଛି। ଆଜିର ଏହି ବୈଠକରେ ଜନାର୍ଦ୍ଦନ ଦାସ, ରାଧାମାଧବ ବିଶୋଇ, ମହେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ନିଯୋଗର ଏହି ବୈଠକ ପରେ କୁମ୍ଭକାର ସେବକମାନେ ସହଯୋଗର ହାତ ବଢ଼ାଇବାକୁ ସହମତି ଜଣାଇଛନ୍ତି। ଆଜି ଦାସିଆ, ସାନମଠ, ନମ୍ବରୀ ଆଦି କୁଡ଼ୁଆ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe