ଚକ କୁଡ଼ୁଆ ତିଆରି ଆରମ୍ଭ ହୋଇନି, ୪୪୬ଙ୍କ ପାଇଁ ସହାୟତା ମଞ୍ଜୁର, ବଳକା କୁମ୍ଭକାରଙ୍କ ତାଲିକା ଝୁଲୁଛି

Advertisment
ଚକ କୁଡ଼ୁଆ ତିଆରି ଆରମ୍ଭ ହୋଇନି, ୪୪୬ଙ୍କ ପାଇଁ ସହାୟତା ମଞ୍ଜୁର, ବଳକା କୁମ୍ଭକାରଙ୍କ ତାଲିକା ଝୁଲୁଛି

pinterest.com

ପୁରୀ : ବାତ୍ୟାର ୧ ମାସ ପରେ ମଧ୍ୟ ସମସ୍ତ କୁମ୍ଭକାରମାନଙ୍କୁ ମିଳିପାରିନି ସହାୟତା। ଫଳରେ ଶାଳ, ଚକ ପ୍ରସ୍ତୁତ ହୋଇ ପାରିନାହିଁ। ଅବଢ଼ା କୁଡ଼ୁଆ ତିଆରି ବି ଆରମ୍ଭ କରି ପାରିନାହାନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୪୪୬ କୁମ୍ଭକାର ପରିବାରଙ୍କ ପାଇଁ ୮୨୦୦ ଲେଖା ସହାୟତା ମଞ୍ଜୁର ହୋଇଛି। ବାକି ପ୍ରାୟ ୬୯୪ କୁମ୍ଭକାରଙ୍କ ତାଲିକା ଚୂଡ଼ାନ୍ତ ହୋଇନାହିଁ। ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୁମ୍ଭକାରମାନଙ୍କ ଚକ, ଶାଳ। ସବୁ କିଛି ଭାଙ୍ଗି ରୁଜି ଛାରଖାର ହୋଇ ଯାଇଥିଲା। ଆର୍ଥିକ ଅଭାବ ଦର୍ଶାଇ ସେମାନେ ସରକାରୀ ସହାୟତା ମାଗିଥିଲେ। କୁମ୍ଭକାରମାନଙ୍କର କ୍ଷୟକ୍ଷତି ଆକଳନ ଦାୟିତ୍ବ ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ମଧୁସୂଦନ ଦାସଙ୍କ ଉପରେ ଥିଲା। ଇତିମଧ୍ୟରେ ପୁରୀର କୁମ୍ଭାରପଡ଼ା, ବ୍ରହ୍ମଗିରି, ଗୋପର ଭୂଆଁ, ବଳଙ୍ଗା, ସାକ୍ଷୀଗୋପାଳ ଭଳି ଅଞ୍ଚଳରେ ପ୍ରଭାବିତ କୁମ୍ଭକାର ପରିବାରର ସର୍ଭେ କରାଯାଇଛି। ମୋଟ ୧୧୪୦ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଏ ପର୍ଯ୍ୟନ୍ତ ମାତ୍ର ୪୪୬ ହିତାଧିକାରୀଙ୍କ ପାଇଁ ଟଙ୍କା ମଞ୍ଜୁର କରାଯାଇଛି। ସରକାରୀ ହିସାବ ଅନୁଯାୟୀ, ପ୍ରତି କୁମ୍ଭକାରମାନଙ୍କୁ ୮୨୦୦ ଟଙ୍କା ଲେଖା ମିଳିବ। ଖୁବ୍‌ଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ବୋଲି କହିଛନ୍ତି ରାଜସ୍ବ ପ୍ରଶାସକ। ତେବେ ଅନ୍ୟ ହିତାଧିକାରୀମାନଙ୍କର ତାଲିକାକୁ ଚୂଡ଼ାନ୍ତ କରି ଖୁବ୍‌ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ତେଣେ ସରକାରୀ ସହାୟତା ମିଳିନଥିବାରୁ କୁମ୍ଭକାରମାନେ ଶାଳ ପ୍ରସ୍ତୁତ କରିନାହାନ୍ତି। ଚକ ବି ଅସଜଡ଼ା ହୋଇପଡ଼ିଛି। ଶାଳଘର ଅପନ୍ତରା ହୋଇରହିଛି। ଅବଢ଼ା ପାଇଁ କୁଡ଼ୁଆ ତିଆରି ଆରମ୍ଭ ହୋଇ ପାରୁନାହିଁ। ଏ ସମ୍ପର୍କରେ କୁରାଳ ମହାସଂଘର ରାଜ୍ୟ ସଭାପତି ସରୋଜ କୁମାର ବେହେରା କହିଛନ୍ତି, ଗୋଟିଏ ଶାଳ ପ୍ରସ୍ତୁତ କରିବା ପାଇଁ ୯୫ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଲାଗିବ। ସରକାର ଦେଉଛନ୍ତି ୮୨୦୦। କେମିତି ଶାଳ ପ୍ରସ୍ତୁତ ହେବ ଆଉ କୁଡ଼ୁଆ କିପରି ତିଆରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe