ଆର୍ଥିକ ସଂକଟରେ କୁକୁଡ଼ା ଚାଷୀ: ଚାଷୀ ବିକୁଛନ୍ତି ୬୦ରେ, ଗ୍ରାହକ କିଣୁଛନ୍ତି ୨୦୦ରେ

Advertisment
ଆର୍ଥିକ ସଂକଟରେ କୁକୁଡ଼ା ଚାଷୀ: ଚାଷୀ ବିକୁଛନ୍ତି ୬୦ରେ, ଗ୍ରାହକ କିଣୁଛନ୍ତି ୨୦୦ରେ

The Express Tribune

କଟକ : ରାଜ୍ୟରେ କୁକୁଡ଼ା ଚାଷୀ ଏବେ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି। ଚାଷୀ କିଲୋ ପିଛା ୬୦ ଟଙ୍କାରେ କୁକୁଡ଼ା ବିକ୍ରି କରୁଥିବା ବେଳେ ଗ୍ରାହକ କିନ୍ତୁ ତାହାକୁ ବଜାରରୁ ୨୦୦ରୁ ଅଧିକ ଟଙ୍କାରେ କିଣୁଛନ୍ତି। ଏଭଳି ସ୍ଥିତିରେ କୁକୁଡ଼ା ମାଂସ ବ୍ୟବସାୟ ମାନ୍ଦା ଧରିବା ସହ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସରକାରୀ ନିଷ୍କ୍ରିୟତା ଏବେ ଉଦ୍‌ବେଗର କାରଣ ହୋଇଛି।

publive-image The Hindu Business Line

ସୂଚନାଯୋଗ୍ୟ ଯେ କିଛିବର୍ଷ ପୂର୍ବରୁ ଓଡ଼ିଶା କୁକୁଡା ଚାଷରେ ବହୁ ପଛରେ ଥିଲା। ପ୍ରାୟ ୬୦ ରୁ ୭୦ ପ୍ରତିଶତ କୁକୁଡ଼ା ଓ ଅଣ୍ଡା ପଡ଼ୋଶୀ ରାଜ୍ୟ, ବିଶେଷ କରି ଆନ୍ଧ୍ରପ୍ରଦେଶରୁ ଆସୁଥିଲା। ମାତ୍ର ୨୦୦୦ ମସିହା ପରଠାରୁ ସରକାରଙ୍କର ପ୍ରୋତ୍ସାହନ ଏବଂ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ହେତୁ ଅନେକ ଶିକ୍ଷିତ ଯୁବକ କୁକୁଡ଼ା ଏବଂ ଅଣ୍ଡା ଚାଷ ବ୍ୟବସାୟ ତଥା ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟରେ ସମ୍ପୃକ୍ତ ହୋଇପାରିଛନ୍ତି। ଆନ୍ଧ୍ର ତଥା ଅନ୍ୟ ପଡ଼ୋଶୀ ରାଜ୍ୟରୁ କୁକୁଡ଼ା ଓ ଅଣ୍ଡା ଓଡ଼ିଶାକୁ ଆସିବା ପ୍ରାୟ ବନ୍ଦ ହୋଇଗଲାଣି। ଏପରିକି ବର୍ତ୍ତମାନ ଓଡ଼ିଶାରୁ କୁକୁଡ଼ା ଏବଂ ଅଣ୍ଡା ପଡ଼ୋଶୀ ରାଜ୍ୟକୁ ପଠାଯାଉଛି। ଅତ୍ୟାଧୁନିକ କୁକୁଡ଼ା ଚାଷ ପ୍ରଣାଳୀ ଏବଂ ହାଇଜେନିକ୍‌ ପଦ୍ଧତିରେ କୁକୁଡ଼ା ଚାଷ କରାଯାଉଛି। ଏହି କୁକୁଡ଼ା ଚାଷୀମାନେ ଖାଉଟିମାନଙ୍କୁ ସ୍ଵାସ୍ଥ୍ୟୋପଯୋଗୀ କୁକୁଡ଼ା ମାଂସ ଏବଂ ଅଣ୍ଡା ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଅନବରତ ଉଦ୍ୟମ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୁକୁଡ଼ା ଚାଷୀ ଏବଂ ଖାଉଟିମାନଙ୍କ ଭିତରେ ବିରାଟ ଦୂରତା ସୃଷ୍ଟି ହୋଇଛି। ବର୍ତ୍ତମାନ ବଜାରରେ ଛେଳି ମାଂସ ମୂଲ୍ୟ କେଜି ପ୍ରତି ୬୫୦ ରୁ ୭୦୦ ଟଙ୍କା ଏବଂ ମାଛ କେଜି ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଚାଷୀମାନେ କୁକୁଡ଼ା କିଲୋପ୍ରତି ୬୦ ରୁ ୭୦ ଟଙ୍କାରେ ଦେଉଥିବା ବେଳେ ଖାଉଟିମାନେ ବଜାରରୁ ପ୍ରାୟ ୨୦୦ରୁ ୨୩୦ ଟଙ୍କାରେ କୁକୁଡ଼ା କିଣୁଛନ୍ତି। କୁକୁଡ଼ା ମାଂସର ଅତ୍ୟଧିକ ମୂଲ୍ୟବୃଦ୍ଧି ଖାଉଟିମାନଙ୍କୁ ପ୍ରଭାବିତ କରୁଛି। ଯାହା ଫଳରେ ବଜାରରେ କୁକୁଡ଼ା ମାଂସର ବିକ୍ରି ମଧ୍ୟ କମୁଛି।

publive-image elanco.com.au

କୁକୁଡ଼ା ମାଂସର ମୂଲ୍ୟକୁ ନେଇ କୁକୁଡ଼ା ଚାଷୀ ଏବଂ ଖାଉଟିମାନଙ୍କ ଭିତରେ ରହିଯାଉଥିବା ଦୂରତାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। କମ୍ କୁକୁଡ଼ା ବିକ୍ରି ପ୍ରଭାବ ଯୋଗୁଁ ଫାର୍ମରେ ରହିଯାଉଥିବା କୁକୁଡ଼ାମାନଙ୍କର ଖାଦ୍ୟ, ଔଷଧ ଇତ୍ୟାଦି ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କୁକୁଡ଼ା ଚାଷୀମାନେ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବଜାରରେ କୁକୁଡ଼ା ମାଂସର ସର୍ବନିମ୍ନ ମୂଲ୍ୟ ସ୍ଥିର କରିବା ପାଇଁ ଅନେକ କୁକୁଡ଼ା ଚାଷୀ ସରକାରଙ୍କୁ ଅବଗତ କରାଇଛନ୍ତି। ସରକାର ଯଦି କୌଣସି ଉଚିତ୍‌ ପଦକ୍ଷେପ ନନେବେ ଓଡ଼ିଶାର ଅନେକ କୁକୁଡ଼ା ଫାର୍ମ ଏବଂ ପ୍ରଜନନ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବ। ତେବେ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଥିବା ଓଡ଼ିଶା ପୁଣି ଆନ୍ଧ୍ର ଏବଂ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବ। ସବୁ କୁକୁଡ଼ା ମାଂସ ବିକ୍ରୟ କେନ୍ଦ୍ରର ମାଲିକମାନେ ଲାଭଖୋର ମନୋବୃତ୍ତି ନ ରଖି ସୁଲଭ ଦାମ୍‌ରେ ଖାଉଟିମାନଙ୍କୁ କୁକୁଡ଼ା ମାଂସ ଯୋଗାଇ ଦେବାକୁ କୁକୁଡ଼ା ଚାଷୀମାନେ ଅନୁରୋଧ କରିଛନ୍ତି। ଏହାଦ୍ବାରା କୁକୁଡ଼ା ଚାଷୀ, କୁକୁଡ଼ା ମାଂସ ବ୍ୟବସାୟୀ ଏବଂ ଖାଉଟି ଲାଭବାନ ହେବେ। ଏହାଦ୍ବାରା ଓଡ଼ିଶାରେ କୁକୁଡ଼ା ଚାଷର ଅଭିବୃଦ୍ଧି ସହ ବିକାଶର ଏକ ନୂଆ ପର୍ଯ୍ୟାୟ ସୃଷ୍ଟି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe