ବିପଦକୁ ଖୋଲା ଆମନ୍ତ୍ରଣ: ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ସରବରାହ!

ବିପଦକୁ ଖୋଲା ଆମନ୍ତ୍ରଣ: ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ସରବରାହ!

ବାହାନଗା: ବିଦ୍ୟୁତ୍‌ ଖୁଣ୍ଟ ଠିଆ ହେବା ସ୍ଥିତିରେ ନାହିଁ। ରାସ୍ତା ଆଡ଼କୁ ନଇଁ ପଡ଼ିଛି। ବିପଦସଂକୁଳ ଅବସ୍ଥ‌ାରେ ବିଦ୍ୟୁତ୍‌ ତାର ଝୁଲିରହିଛି। କେବଳ ସେତିକି ନୁହେଁ, ନୂଆ ଖୁଣ୍ଟ ପୋତା ନଯାଇ ବାଉଁଶରେ ବିଦ୍ୟୁତ୍‌ ସରବରାହ ହେଉଛି। ଏପରି ବିପଦ୍‌ଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ଗ୍ରାମ ୫ ନମ୍ବର ୱାର୍ଡ ଉତ୍ତର ସାହିରେ।

ଗ୍ରାମବାସୀଙ୍କ ସୂଚନା ଅନୁସାରେ; ଖରାସାହାପୁର ଗ୍ରାମର ୫ ନମ୍ବର ୱାର୍ଡ ଉତ୍ତର ସାହି ଦେଇ ବିଦ୍ୟୁତ୍‌ ସରବରାହ ହେଉଛି। ତେବେ ଏଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବେଶ୍‌ ପୁରୁଣା। ଫଳରେ ଅନେକ ଖୁଣ୍ଟର ତଳଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏମିତିକି ସେଗୁଡ଼ିକ ମଧ୍ୟରୁ କିଛି ଦୁର୍ବଳ ଖୁଣ୍ଟ ଅଧା ନଇଁ ପଡ଼ିଲାଣି। ଗାଁ ମଝିରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ସଂପୂର୍ଣ୍ଣ ଭାବେ ରାସ୍ତା ଉପରକୁ ଢଳି ପଡ଼ିଛି। ତଥାପି ଉକ୍ତ ଖୁଣ୍ଟ ଦେଇ ବିଦ୍ୟୁତ୍‌ ସରବରାହ ହେଉଛି। କେବଳ ସେତିକି ନୁହେଁ, ଖୁଣ୍ଟ ମରାମତି କିମ୍ବା ନୂଆ ଖୁଣ୍ଟ ପୋତିବା ବଦଳରେ ବାଉଁଶ ଖୁଣ୍ଟ ପୋତି ସେଥିରେ ବିଦ୍ୟୁତ୍‌ ସରବରାହ କରାଯାଉଥିବାରୁ ଯେ କୌଣସି ସମୟରେ ଅଘଟଣର ଆଶଙ୍କା ରହିଛି।

ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଥିଲେ ମଧ୍ୟ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ସାହିବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କିଛି ସୁଫଳ ମିଳୁନି। ତେବେ ଆ‌ଗାମୀ ୭ ଦିନ ମଧ୍ୟରେ ଯଦି ପୁରୁଣା ବିଦ୍ୟୁତ୍‌ ଖୁଣ୍ଟ ମରାମତି କିମ୍ବା ବଦଳା ନଯାଏ ଏବଂ ବାଉଁଶ ବିଦ୍ୟୁତ୍‌ଖୁଣ୍ଟ ହଟାଇ ନୂଆ ବିଦ୍ୟୁତ୍‌ଖୁଣ୍ଟ ଲଗାନଯାଏ, ତେବେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ ଏସ୍‌ଡିଓ ଶୁଭଦୀପ୍ତ ମିଶ୍ରଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ଅବଗତ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe